Odia News Portal

ନିର୍ବାଚନ କମିଶନଙ୍କୁ ମାରପିଟ କଲେ ଏହି ମଡେଲ

ମୁମ୍ବାଇ()  କମିଶନଙ୍କ ଟିମ ସହ ମାରପିଟ କରିବା ଅଭିଯୋଗରେ ମୁମ୍ବାଇରେ ରହୁଥିବା କାନାଡାର ଜନୈକ ମଡେଲ ଗିରଫ ହୋଇଛନ୍ତି। ମଡେଲ ସିନା ଲଖାନୀଙ୍କୁ ଗୁରୁବାର ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଦିନକ ଲାଗି ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ବୁଧବାର ଅନ୍ଧେରୀର ବିରା ଦେଶାୟୀ ରୋଡରେ ପୋଲିସ ଓ ନିର୍ବାଚନ ଆୟୋଗଙ୍କ ଟିମ ମିଳିତ ନାକାବନ୍ଦୀ କରିଥିବା ବେଳେ ମଡେଲ ସେହି ବାଟ ଦେଇ ଯାଉଥିଲେ।
ଫ୍ଲାଇଂ ସ୍କ୍ୱାର୍ଡର ଯାନବାହନ ଯାଞ୍ଚ ଲାଗି ମଡେଲ ରାଜି ହୋଇଯାଇଥିଲେ। ହେଲେ ଯାଞ୍ଚରେ ଭିଡିଓ ରେକର୍ଡିଂକୁ ସେ ବିରୋଧ କରିଥିଲେ। ଏହାକୁ ନେଇ ନିର୍ବାଚନ କମିଶନଙ୍କ କର୍ମଚାରୀଙ୍କ ସହ ସିନାଙ୍କର ଯୁକ୍ତିତର୍କ ହୋଇଥିଲା। ତେବେ ଘଟଣାରେ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ପୋଲିସ ସିନାଙ୍କ ବାହନ ଯାଞ୍ଚ କରିପାରିନଥିଲା ଓ ସେ ସେଠାରୁ ଚାଲିଯାଇଥିଲେ। ହେଲେ ଘଟଣା ସେତିକିରେ ଶେଷ ହୋଇନଥିଲା। ଅପରାହ୍ନରେ ସିନା ମୋଟର ସାଇକେଲରେ ୨ ଜଣ ସାଥୀଙ୍କୁ ନେଇ ମିଳିତ ଯାଞ୍ଚ ସ୍ଥଳକୁ ଆଉଥରେ ଆସିବା ସହ ଅଧିକାରୀମାନଙ୍କ ସହ ଝଗଡା କରିଥିଲେ। ନିର୍ବାଚନ କମିଶନଙ୍କ ଟିମ ସହ ସିନା ଓ ତାଙ୍କ ସାଥୀମାନଙ୍କର ଝଗଡା ହାତାହାତି ପର୍ୟ୍ୟନ୍ତ ଯାଇଥିଲା। ମଡେଲଙ୍କୁ ଆଇପିସିର ଧାରା ୩୫୩, ୧୮୬, ୪୨୭ ଓ ୫୦୬ରେ ପୋଲିସ ଗିରଫ କରିଛି।