Odia News Portal

ରବିନା ଟଣ୍ଡନ, ଭାରତୀ ସିଂହ, ଫରାହ ଖାନଙ୍କୁ ବଡ ଝଟକା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡ଼ିଆନ୍ ତଥା ହାସ୍ୟ କଳାକାର ଭାରତୀ ସିଂହଙ୍କୁ ଲାଗିଛି ଏକ ବଡ ଝଟକା। କାରଣ ଏମାନଙ୍କ ବିରୋଧରେ ପଞ୍ଜାବର ଅମୃତସର ଥାନାରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର ଅଭିଯୋଗ ହୋଇଛି।

ଗତ କାଲି ଚାରିଆଡେ ବଡ଼ଦିନ ବା ଖ୍ରୀଷ୍ଟମାସ୍‌ ଡେ’ ପାଳନ କରାଯାଉଥିଲା। ଏନେଇ ଏକ ଶୋ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ କମେଡ଼ି କାର୍ଯ୍ୟକ୍ରମର ବୋଲି ଜଣା ପଡିଛି। ଏହି ଭିଡିଓରେ ଏମାନେ ୩ଜଣ ଏମିତି କିଛି କହିଛନ୍ତି ଯାହାକୁ ଦେଖି ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଶୋ’ରେ ଖ୍ରୀଷ୍ଟ ଧର୍ମକୁ ନେଇ କିଛି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି। ଏହି ମନ୍ତବ୍ୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରଛି। ସବୁଠୁ ବଡ଼ କଥା ହେଉଛି ଏହି ଏପିସୋଡ୍‌ ଖ୍ରୀଷ୍ଟମାସ୍‌ ଡେ’ରେ ହିଁ ଟେଲିକାଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ପଞ୍ଜାବ ପୋଲିସ୍‌ ଏହି କାର୍ଯ୍ୟକ୍ରମର ଭିଡିଓକୁ ଭଲଭାବେ ଯାଞ୍ଚ କରିବା ପରେ ମାମଲା ରୁଜୁ କରିଛି । ଏହି ମାମଲାକୁ ନେଇ ଏଯାଏଁ ତିନି ଜଣ ସେଲେବ୍ରଟିଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ପୋଲିସ୍‌ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେବ ସେ ବିଷୟରେ ସ୍ପଷ୍ଟ ଖବର ଆସିନାହିଁ।