ମୁମ୍ବାଇ : ପରଦାରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ଟାଇଟଲ ‘ସାବାସ୍ ମିଠୁ’ । ଫିଲ୍ମର ଫାଷ୍ଟଲୁକ୍ ପୋଷ୍ଟର ତାପସୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ଜଣେ କ୍ରିକେଟ୍ ଖେଳାଳୀ ଭାବେ ସେ ନଜର ଆସିଛନ୍ତି । ପୋଷ୍ଟର ସହ କ୍ୟାପ୍ସନ୍ ଲେଖିଛନ୍ତି ‘ମୋତେ ସବୁବେଳେ ଲୋକେ ପଚାରନ୍ତି ଯେ ତୁମ ଫେଭରିଟ୍ ପୁରୁଷ କ୍ରିକେଟର କିଏ, କିନ୍ତୁ ଫେଭରିଟ୍ ମହିଳା କ୍ରିକେଟ୍ ଖେଳାଳୀଙ୍କ ବିଷୟରେ ସେମାନେ ପଚାରିବା ଉଚିତ । ଏହି ବୟାନ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ମୁହଁ ବନ୍ଦ କରିଦିଏ ଏବଂ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ ଯେ ସେମାନେ କ୍ରିକେଟ୍ ଖେଳକୁ ଭଲ ପାଉଛନ୍ତି ନା କ୍ରିକେଟ୍ ଖେଳୁଥିବା ନିର୍ଦ୍ଦିଷ୍ଟ ଲିଙ୍ଗକୁ ।
ମିତାଲି ରାଜ, ବାସ୍ତବରେ ତୁମେ ଜଣେ ‘ଗେମ୍ ଚେଞ୍ଜର୍’ । ମିତାଲି ଜଣେ ପୂର୍ବତନ କ୍ୟାପ୍ଟେନ୍, ଯିଏକି ଭାରତୀୟ ଜାତୀୟ ମହିଳା କ୍ରିକେଟ୍ ଦଳର ଟେଷ୍ଟ ଓ ଦିନିକିଆର ନେତୃତ୍ୱ ନେଇଥିଲେ । ମହିଳା ଆନ୍ତର୍ଜାତିକ କ୍ରିକେଟ୍ରେ ସେ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ସେ ମଧ୍ୟ ଆନ୍ତର୍ଜାତିକ ମହିଳା ଦିନିକିଆ ମ୍ୟାଚ୍ରେ ୬ହଜାର ରନ୍ କରିଥିବା ଏକମାତ୍ର ମହିଳା କ୍ରିକେଟର । ତାପସୀଙ୍କ କ୍ରିକେଟର ଲୁକ୍କୁ ଫ୍ୟାନ୍ମାନେ ବେଶ ପସନ୍ଦ କରିଛନ୍ତି । ଏଥିସହ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ମାସ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ମିତାଲି ରାଜଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍ ଖେଳିବା ତାଙ୍କ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା । ଆଗକୁ ତାଙ୍କୁ ଆହୁରି କଷ୍ଟ କରିବାକୁ ପଡ଼ିବ, କାରଣ ସେ କେବଳ କ୍ରିକେଟ୍ ଦେଖନ୍ତି । କେବେ ଖେଳିନାହାନ୍ତି । ସେଥିପାଇଁ ଏହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ।
ତାପସୀ କଭର୍ ଡ୍ରାଇଭ୍ କିଭଳି ଖେଳୁଛନ୍ତି, ତାହା ଦେଖିବେ ବୋଲି ମିତାଲି ପୂର୍ବରୁ କହିସାରିଛନ୍ତି । ତେଣୁ ଏବେଠୁ କେବଳ କଭର୍ ଡ୍ରାଇଭ୍ ସ୍ୱପ୍ନ ଦେଖୁଛନ୍ତି ବୋଲି ତାପସୀ କହିଛନ୍ତି । ବର୍ଷର ମଧ୍ୟଭାଗରେ ଫିଲ୍ମଟି ଫ୍ଲୋର୍କୁ ଓହ୍ଲାଇବ । ଗତ ଡିସେମ୍ବରରେ ତାପସୀ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ମିତାଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ।
ଏଥିସହ ଔପଚାରିକ ଭାବେ ଫିଲ୍ମ ଘୋଷଣା କରିଥିଲେ । ଭାୟାକମ୍ ୧୮ ଷ୍ଟୁଡିଓ ଅଧୀନରେ ନିର୍ମାଣ ଅପେକ୍ଷାରେ ଥିବା ‘ସାବାସ୍ ମିଠୁ’ର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ରାହୁଲ ଢୋଲକିୟା । ୨୦୨୧, ଫେବ୍ରୁଆରୀ ୫ ତାରିଖରେ ଏଇଟି ମୁକ୍ତିଲାଭ କରିବ ।