ୟଶ୍ରାଜ ଫିଲ୍ମସ ଶନିବାର ସଲମାନ ଖାନଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ରାଧେ-ୟୁଅର ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ’ର ରିଲିଜ୍ ଡେଟ୍ ଘୋଷଣା କରିଛି। ଏହି ଫିଲ୍ମ ଚଳିତବର୍ଷ ଇଦ୍ ଅର୍ଥାତ୍ ଆସନ୍ତା ମେ’ ୨୨ରେ ରିଲିଜ୍ ହେବ। ଏହାସହିତ ୟଶ୍ରାଜ ବ୍ୟାନର ଫିଲ୍ମର ଦୁଇଟି ପୋଷ୍ଟରର ଫାଷ୍ଟ ଲୁକ୍ ମଧ୍ୟ ଜାରି କରିଛି, ଯେଉଁଥିରେ ସଲମାନ ଆକ୍ସନ ଲୁକ୍ ଦେଇଛନ୍ତି। ଗୋଟିଏ ପୋଷ୍ଟରରେ ସେ ଲେଦର ଜ୍ୟାକେଟ୍ ଓ ଜିନ୍ସ ପିନ୍ଧି ଗୁଳି ଚଲାଉଥିବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ ଜିନ୍ସ ଓ ଟି-ଶାର୍ଟ ପିନ୍ଧିଥିବା ନଜର ଆସୁଛନ୍ତି।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ସଲମାନଙ୍କ ସହିତ ଏହା ତାଙ୍କର ତୃତୀୟ ଫିଲ୍ମ। ଫିଲ୍ମରେ ସଲମାନଙ୍କ ଅପୋଜିଟ୍ରେ ଦିଶା ପଟାନୀ ନଜର ଆସିବେ। ଏହାଛଡ଼ା ରଣଦୀପ ହୁଡ୍ଡା, ଜ୍ୟାକି ଶ୍ରଫ୍ ମଧ୍ୟ ଦେଖାଯିବେ। ୟଶ୍ରାଜ ଫିଲ୍ମସ ଛଡ଼ା ସଲମାନ ଖାନ, ସୋହେଲ ଖାନ ଓ ଅତୁଲ ଅଗ୍ନିହୋତ୍ରୀ ଫିଲ୍ମର କୋ-ପ୍ରଡ୍ୟୁସର୍ସ ଅଛନ୍ତି।
ଇଦ୍ରେ ରିଲିଜ୍ ହୋଇଥିବା ସଲମାନଙ୍କ ଫିଲ୍ମଗୁଡ଼ିକ ଭିତରେ ‘ରାଧେ’ ୮ମ ଫିଲ୍ମ ହେବ। ଏହାପୂର୍ବରୁ ସଲମାନଙ୍କ ୭ଟି ଯାକ ଫିଲ୍ମ ସୁପରହିଟ୍ ରହିଥିଲା। କୁହାଯାଉଛି, ମାର୍ଚ୍ଚରେ ଫିଲ୍ମର ଟିଜର ଜାରି ହୋଇପାରେ।
