ମୁମ୍ବାଇ : ବଲିଉଡକୁ ଅନେକ ଗାୟକ ଏବଂ ଗାୟିକା ଆସିଥାଆନ୍ତି କିନ୍ତୁ ଏପରି ବହୁତ କମ୍ ଗାୟକ/ଗାୟିକା ଅଛନ୍ତି ଯାହାଙ୍କ କଣ୍ଠରେ ବିଭିନ୍ନତା ଓ ଯାଦୁ ଥାଏ। ଏହି କଂଠଶିଳ୍ପୀମାନେ ବିଭିନ୍ନ ପ୍ରକାର ଗୀତ ସୁନ୍ଦର ଓ ଚମତ୍କାର ଭାବେ ଗାଇଥାଆନ୍ତି। ଆଜି ଆମେ ଏପରି ଏକ ଦମଦାର ଗାୟିକା ବିଷୟରେ ଜାଣିବା ଯିଏ କେବେ ଦିଲ୍ଲୀର ମନ୍ଦିରରେ ଗୀତ ଗାଉଥିଲେ। କିନ୍ତୁ ସେ ଆଜି ବଲିଉଡର ଟପ୍ ସିଙ୍ଗର ମଧ୍ୟରୁ ଜଣେ। ସେ ଆଉ କେହି ନୁହଁନ୍ତି ବରଂ ସୁନିଧି ଚୈାହାନ। ଆଶା ଭୋଁସଲେଙ୍କ ପରେ ସୁନିଧି ଚୈାହାନ ଜଣେ ଏପରି ଗାୟିକା ଯାହା କଣ୍ଠରେ ବିଭିନ୍ନ ପ୍ରକାରର ଏବଂ ନିଆରା ଲାଲିତ୍ୟ ରହିଛି।
୧୯୮୩ମସିହା ଅଗଷ୍ଟ ୨୩ତାରିଖରେ ଜନ୍ମ ହୋଇଥିବା ସୁନିଧିଙ୍କୁ ୩୪ବର୍ଷ ପୂରିଗଲାଣି। ସୁନିଧି ୪ବର୍ଷ ବୟସରେ ଗାଇବା ଆରମ୍ଭ କରିଦେଇଥିଲେ। ସୁନିଧି କେବଳ ଦଶମ ଶ୍ରେଣୀ ଯାଏଁ ପଡ଼ିଛନ୍ତି। ସେ ଆରମ୍ଭରୁ ଉତ୍ତରପ୍ରଦେଶର ବଳରାମପୁରରେ ଥିବା ବ୍ଲୁମିଙ୍ଗ ବଡସ ପବ୍ଲିକ୍ ସ୍କୁଲରେ ପଢ଼ୁଥିଲେ। କିନ୍ତୁ ପରେ ଦିଲ୍ଲୀ ସିଫ୍ଟ ହୋଇଯାଇଥିଲେ। ଦିଲ୍ଲୀରେ ସେ ଗ୍ରୀନଓ୍ବେ ସ୍କୁଲରେ ଆଡମିସନ କରିଥିଲେ। ସୁନିଧି ନିଜ ବାପାଙ୍କ ସହ ପିଲାବେଳୁ ମନ୍ଦିର ଏବଂ ସ୍ଥାନୀୟ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ। ସେ କେବେ କେବେ ଷ୍ଟେଜ ଶୋ ମଧ୍ୟ କରୁଥିଲେ। ଥରେ ଏକ ଷ୍ଟେଜ ଶୋ ରେ ଆଙ୍କର ତବ୍ବସୁମଙ୍କ ନଜର ସୁନିଧିଙ୍କ ଉପରେ ପଡ଼ିଥିଲା। ସୁନିଧିଙ୍କୁ ମୁମ୍ବାଇ ଆଣିବାକୁ ତବ୍ବସୁମ ସୁନିଧିଙ୍କ ବାପା ମାଆଙ୍କୁ କହିଥିଲେ। ମୁମ୍ବାଇ ଆସୁ ଆସୁ ସୁନିଧି ଗୀତିକାର କଲ୍ୟାଣଜୀଙ୍କ ‘ଲିଟିଲ ଓ୍ବାଣ୍ଡର୍ସ’ ନାମକ ଏକ ମ୍ୟୁଜିକାଲ ଗ୍ରୃପର ମୁଖ୍ୟ ଗାୟିକା ହୋଇଯାଇଥିଲେ। ଏହି ସମୟରେ ସୁନିଧି ଦୂରଦର୍ଶନରେ ପ୍ରସାରିତ ହେଉଥିବା ‘ମେରି ଆଓ୍ବାଜ ଶୁନୋ’ ରେ ଭାଗ ନେଇଥିଲେ।
ସେ ଏଥିରେ ବିଜେତା ହୋଇଥିଲେ। ସୁନିଧି ମାତ୍ର ୧୩ବର୍ଷ ବୟସରେ ବଲିଉଡରେ ଗୀତ ଗାଇଥିଲେ। ସେ ‘ଶାସ୍ତ୍ର’ ଫିଲ୍ମର ଲଡକି ଦିଓ୍ବାନୀ ଦେଖୋ ଗୀତ ଗାଇଥିଲେ। ଏହାପରେ ସେ ୧୬ବର୍ଷ ବୟସରେ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ମସ୍ତ’ ର ରୁକି ରୁକି ସି ଜିନ୍ଦଗୀ ଗୀତ ଗାଇଥିଲେ ଯାହା ଅତ୍ୟନ୍ତ ହିଟ୍ ହୋଇଥିଲା। ଏଥିପାଇଁ ସୁନିଧିଙ୍କୁ ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା। ସୁନିଧିଙ୍କୁ ନିଜ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ ପତନ ଦେଖିବାକୁ ପଡ଼ିଥିଲା। ସେ ୧୮ବର୍ଷର ଥିବାବେଳେ ୨୦୦୨ମସିହାରେ ନିଜଠୁ ୧୪ବର୍ଷ ବଡ଼ କୋରିଓଗ୍ରାଫର ବବି ଖାନଙ୍କୁ ବିବାହ କରିଥିଲେ। ସୁନିଧିଙ୍କ ପରିବାର ଲୋକେ ଏହି ବିବାହକୁ ବିରୋଧ କରିଥିଲେ ଏବଂ ସେମାନେ ସୁନିଧିଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ। ବବି ଖାନଙ୍କ ସହ ସୁନିଧିଙ୍କ ସମ୍ପର୍କ ବର୍ଷେ ଯାଇନଥିଲା ଏବଂ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେହି ସମୟରେ ସୁନିଧିଙ୍କ ରହିବା ପାଇଁ ସ୍ଥାନ ନଥିଲା। ଏପରି ପରିସ୍ଥିତିରେ ଗୀତିକାର ଅନ୍ନୁ ମଲ୍ଲିକ ତାଙ୍କୁ ନିଜ ଘରେ ରହିବାକୁ ସ୍ଥାନ ଦେଇଥିଲେ। ଏହି ବିଚ୍ଛେଦ ପାଇଁ କେବଳ ତାଙ୍କ ବ୍ୟକ୍ତିଗତ ଜୀବନ ନୁହେଁ ବରଂ ତାଙ୍କ ବୃତ୍ତିଗତ ଜୀବନ ମଧ୍ୟ ଦୋହଲି ଯାଇଥିଲା।
ତାଙ୍କ କ୍ୟାରିୟର ବୁଡ଼ି ଯାଇଥିଲା। ପରେ ସୁନିଧି ନିଜକୁ ସମ୍ଭାଳିଥିଲେ ଏବଂ ପୁଣି ଥରେ ବଲିଉଡକୁ ପ୍ରବେଶ କରିଥିଲେ। ବିବାହ ବିଚ୍ଛେଦର ୯ବର୍ଷ ପରେ ସୁନିଧି ୨୦୧୨ରେ ଗୀତିକାର ହିତେନ ସୋନିକଙ୍କୁ ଦ୍ବିତୀୟ ବିବାହ କରିଥିଲେ। ହିତେନ ମଧ୍ୟ ସୁନିଧିଙ୍କଠୁ ୧୪ବର୍ଷ ବଡ଼। ସୁନିଧି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।