Odia News Portal

ରଜନୀକାନ୍ତଙ୍କ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା

ଭୁବନେଶ୍ୱର : ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ତାମିଲ ଫିଲ୍ମ ‘ଦରବାର’ରେ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ। ‘ଦରବାର’ ହେଉଛି ଦେବସ୍ମିତାଙ୍କର ପ୍ରଥମ ଫିଲ୍ମ। ବଡ଼ କଥା ହେଉଛି, ଏହି ଫିଲ୍ମରେ ତାଙ୍କ ସହ ରଜନୀକାନ୍ତ ମଧ୍ୟ ଅଭିନୟ କରିବେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବସ୍ମିତା ହେଉଛନ୍ତି ଜଣେ ବିଏସ୍‌ସି ଛାତ୍ରୀ। ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି।

ସେ ଓଡ଼ିଶୀ ନୃତ୍ୟ ସହିତ କଥକ, ଛଉ, ସମ୍ୱଲପୁରୀ, ଜାଝ୍‌, ସାଲ୍‌ସା ଓ ବଲିଉଡ୍‌ ନାଚରେ ମଧ୍ୟ ନିପୁଣ। ୩ ବର୍ଷ ବୟସରୁ ସେ ନ୍ୟାସନାଲ୍‌ ଟିଭି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ଡ୍ୟାନ୍ସ ଦିୱାନେ’ ଓ ବୁଗି ଵୁଗି’ରେ ଭାଗ ନେଇଥିଲେ। ଭବିଷ୍ୟତରେ ସୁଯୋଗ ମିଳିଲେ ଯେ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବେ ବୋଲି ଦେବସ୍ମିତା କହିଛନ୍ତି।

ଆସନ୍ତା ବର୍ଷ ଜାନୁଆରୀ ୧୪ରେ ‘ଦରବାର’ ରିଲିଜ୍ ହେବ। ମୁଖ ଭୂମିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନତାରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଏଆର୍‌ ମୁରୁଗାଦୋସ୍‌ ରହିଛନ୍ତି। ତେବେ ଓଡ଼ିଆ ଝିଅ ଦେବସ୍ମିତାଙ୍କର ଏହି ସଫଳତାକୁ ନେଇ ଖାଲି ଗଜପତି ଜିଲ୍ଲା ନୁହେଁ ବରଂ ସାରା ଓଡ଼ିଶା ଗର୍ବିତ।