ହିନ୍ଦି ସିନେମାର ପ୍ରଥମ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ହେବାର ଏକ ବର୍ଷ ପୂରିଗଲା। ତାଙ୍କ ନିଧନ ପରେ ତାଙ୍କ ବାୟୋପିକ ନିର୍ମିତ ହେବା ପାଇଁ ଚର୍ଚ୍ଚା ଉଛିଆସୁଛି। ଅନେକ ଫିଲ୍ମ ନିର୍ମାତା ତାଙ୍କର ବାୟୋପିକ ବନାଇବର ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ଏବେ ପର୍ୟ୍ୟନ୍ତ କେହି ବି ବାୟୋପିକ ଉପରେ କାମ ଆରମ୍ଭ କରିନାହାଁନ୍ତି। ଅବଶ୍ୟ ବହୁ କଳାକାର ଶ୍ରୀଦେବୀଙ୍କ ଭୁମିକାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି।
ନିକଟରେ ଶ୍ରୀଦେବୀଙ୍କ ଭୂମିକା ଲାଗି ଦକ୍ଷ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ନାମ ଚର୍ଚ୍ଚାକୁ ଆସିଛି। ବିଦ୍ୟା ବାଲାନ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାୟୋପିକରେ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଚାହିଁବେ ବୋଲି କହିଛନ୍ତି। ବିଦ୍ୟା କହିଛନ୍ତି ଯେ ସେ ଶ୍ରୀଦେବୀଙ୍କ ବାୟୋପିକରେ କାମ କରିବାକୁ ରାଜି ଅଛନ୍ତି। ସେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।
ସେ କହିଛନ୍ତି, ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାହସ ଦରକାର। ଏହି ଦକ୍ଷ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିଦ୍ୟା ବାଲାନ୍ଙ୍କୁ ଅନେକ ସମୟରେ ବୋଲ୍ଡ ରୋଲ୍ରେ ଦେଖିବାକୁ ମିଳିଛି। ଏସମ୍ପର୍କରେ ବିଦ୍ୟା ବାଲାନ୍ କହିଛନ୍ତି ଯେ, ଏଭଳି ସିନେମା ନ କରିବାକୁ ତାଙ୍କୁ କିଛିଲୋକ ବାରଣ କରିଥିଲେ। କିନ୍ତୁ ସେଥିପ୍ରତି ସେ କର୍ଣ୍ଣପାତ କରି ନ ଥିଲେ। ଏଭଳି ସିନେମା ପାଇଁ ସେ ଲଜ୍ଜିତ ନୁହଁନ୍ତି ,ବରଂ ଗର୍ବିତ ବୋଲି କହିଛନ୍ତି ବିଦ୍ୟା ବାଲାନ୍।