ଭାଙ୍ଗ ଗଛ କ୍ୟାନସର ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଟେଗ୍ରେଟିଭ ମେଡିସନ୍(ଆଇଆଇଆଇଏମ୍) ଭାଙ୍ଗ ଗଛରୁ ଔଷଧ ପ୍ରସ୍ତୁତ କରି ଟ୍ରାୟଲ୍ କରୁଛି। ଏହାକୁ ନେଇ ମୁମ୍ବାଇ ସେଣ୍ଟରରେ କ୍ଲିନିକାଲ୍ ଟ୍ରାୟଲ୍ ଏବଂ ଜାମ୍ମୁ ସେଣ୍ଟରରେ ଔଷଧ ଉପରେ ଗବେଷଣା ଜାରି ରହିଛି। ଏବେ ସୁଦ୍ଧା ଗବେଷଣାରେ ସାମନାକୁ ଆସିଛି ଯେ ଭାଙ୍ଗରୁ ପ୍ରସ୍ତୁତ ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ ଯନ୍ତ୍ରଣା ନିରୋଧୀ ହୋଇ ପାରିଛି।
ଆଇଆଇଆଇଏମ୍ ଜାମ୍ମୁ ପଶୁଙ୍କ ଉପରେ ପ୍ରି କ୍ଲିନିକାଲ୍ ଟ୍ରାୟଲ୍ କରିଛି। ପଶୁଙ୍କ ଉପରେ ସଫଳ ପରୀକ୍ଷଣ ପରେ ଏବେ ମନୁଷ୍ୟଙ୍କ ଉପରେ ଏହାର ପ୍ରୟୋଗ କରାଯାଉଛି। ଔଷଧକୁ ଇଞ୍ଜେକସନ,ଟ୍ୟାବଲେଟ୍ ଏବଂ ତେଲ ଭାବେ ଅଣାଯିବ।
କ୍ୟାନସର ପୀଡ଼ିତଙ୍କୁ ଔଷଧରୁ ଆରାମ ମିଳିଛି। ଭାଙ୍ଗ ଗଛର ଆଗ ଅଂଶକୁ ନିଶା ପାଇଁ ବ୍ୟବହାର କରାଯାଇଥାଏ,କିନ୍ତୁ ଗଛର ଅନ୍ୟ ଅଂଶ ରୋଗର ଔଷଧ ଭାବେ କାମ କରିଥାଏ। ଔଷଧ ଭାବେ ବ୍ୟବହାର କରାଯିବାର ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଔଷଧ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଠୁ ମଧ୍ୟ ଅନୁମତି ମିଳିସାରିଛି।