ଭୁବନେଶ୍ଵର : ଇଟିଲି ପସନ୍ଦ କରୁଥିବା ଲୋକମାନଙ୍କୁ କିଛି ନୂଆ ଉପାୟରେ ରୋଷେଇ କରି ଖୁଆଇବାକୁ ଚାହୁଁଥିଲେ ଆପଣ ଚିଲି ଇଟିଲି ପ୍ରସ୍ତୁତ କରି ପାରିବେ। ଖଟା ଖାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିଵ। ତେବେ ଇଟିଲିକୁ ଟିକେ ନୂଆ ରୂପ ଦେଇ ଅଲଗା ଭାବେ ପରଷନ୍ତୁ ଦେଖିବେ ନିଶ୍ଚୟ ପ୍ରଶଂସା ମିଳିବ। ଆମେ ଆଜି ଆପଣଙ୍କୁ ଚିଲି ଇଟିଲି ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ ଏହା ପ୍ରସ୍ତୁତ କରିବା ଯେତିକି ସହଜ ଖାଇବାକୁ ସେତିକି ସ୍ଵାଦିଷ୍ଟ।
ଆବଶ୍ୟକୀୟ ସାମଗ୍ରୀ- ୨ ଟେବୁଲସ୍ପୁନ ତେଲ, ୧୫ରୁ ୨୦ଟି ଇଟିଲି, ୨ଟି ପିଆଜ, ଶିମଳା ଲଙ୍କା ୧ଟା, ୨ଟିସ୍ପୁନ ହଳଦୀ, ୨ ଟେବୁଲସ୍ପୁନ ଟମାଟୋ କ୍ୟାଚଅପ, ୨ଟିସ୍ପୁନ ନାଲି ଲଙ୍କାଗୁଣ୍ଡ, ୧ଟେବୁଲସ୍ପୁନ ଗ୍ରୀନ ଚିଲି ସସ୍, ୧ ଟେବୁଲସ୍ପୁନ ସୋୟାସସ୍, ୨ଟି କଞ୍ଚାଲଙ୍କା, ୧ ଟେବୁଲସ୍ପୁନ କର୍ଣ୍ଣଫ୍ଲୋର, ୫ଟି ଭୁରୁଷୁଙ୍ଗାପତ୍ର, ଧନିଆ, ସ୍ଵାଦ ଅନୁସାରେ ଲୁଣ।
ବିଧି- ପ୍ରଥମେ ଇଟିଲିକୁ ୪ଟି ଟୁକୁଡାରେ କାଟି ଦିଅନ୍ତୁ। ଏହାପରେ ତେଲ ପକାଇ ପ୍ୟାନରେ ଇଟିଲି ବାଦାମୀ ରଙ୍ଗ ହେବା ଯାଏଁ ଭାଜନ୍ତୁ। ଏହାପରେ ଏକ ପାତ୍ରକୁ ଇଟିଲି ବାହାର କରି ନିଅନ୍ତୁ। ଏବେ କିଛି ତେଲ ଗରମ କରି ସେଥିରେ ପିଆଜ, କଞ୍ଚାଲଙ୍କା, ଶିମଳା ଲଙ୍କା, ଭୁରୁସୁଙ୍ଗାପତ୍ର ପକାଇ ଭାଜନ୍ତୁ। ମସଲା ଭଲ ଭାବରେ ଭାଜି ହୋଇଗଲା ପରେ ସେଥିରେ କିଛି ସୋୟା ସସ୍, ଗ୍ରୀନ ଚିଲି ସସ୍, ହଳଦୀ, ଲଙ୍କାଗୁଣ୍ଡ, ଟମାଟୋ କ୍ୟାଚଅପ, ଲୁଣ ପକାନ୍ତୁ।
ମସଲା ସବୁ ଭଲ ଭାବରେ ଭାଜି ହୋଇଗଲାପରେ କିଛି କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ମସଲାରେ ପକାନ୍ତୁ ଓ ଇଟିଲିକୁ ପକାନ୍ତୁ। ଏହାକୁ ୨ଟୁ ୩ ମିନିଟ୍ ଯାଏଁ ଛାଡି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚିଲି ଇଟିଲି। ଏହା ଉପରେ ଏବେ କିଛି କଟା ଧନିଆ ପକାଇ ସଜାଇ ଦିଅନ୍ତୁ। ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ।