Odia News Portal

ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା 

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ କେଶ ପାଇଁ ଏହା ଭଲ। ତେବେ ବାଦାମରୁ ଅଧିକ ଲାଭ ପାଇବା ପାଇଁ ଏହାକୁ ରାତିରେ ଭିଜାଇ ସକାଳେ ଖାଆନ୍ତୁ।
ଅଲ୍‌ମଣ୍ଡରେ ଭିଟାମିନ୍ ଇ, ଫାଇବର, ଓମେଗା ୩ ଫ୍ୟାଟି ଏସିଡ୍‌, ପ୍ରୋଟିନ୍ ରହିଛି। ଏତଦ୍‌ବ୍ୟତୀତ ମାଙ୍ଗାନିଜ୍‌, ପୋଟାସିୟମ୍ ମଧ୍ୟ ରହିଛି। ଏସବୁ ଗୁଣ ପାଇଁ ବାଦାମକୁ ‘ସୁପରଫୁଡ୍‌’ ମଧ୍ୟ କୁହାଯାଏ।
ଜାଣନ୍ତୁ ଏହାକୁ ସେବନ କରିବାର ଲାଭ:– ଓଜନ ଏବଂ ମଧୁମେହ (ଡାଇବେଟିସ୍‌) ନିୟନ୍ତ୍ରିତ ରଖେ: ଅଲ୍‌ମଣ୍ଡରେ ଥିବା ଫାଇବର ଓ ପ୍ରୋଟିନ୍ ଯୋଗୁ ଏହାକୁ ସେବନ କଲେ ପେଟ ଭର୍ତ୍ତିଥିବା ଭଳି ଲାଗେ। ଏଣୁ ବ୍ୟକ୍ତି କମ୍ ଖାଦ୍ୟ ସେବନ କରନ୍ତି। ସେହିଭଳି ଏହା ପାଚନକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥାଏ। ଫଳରେ ଓଜନ ନିୟନ୍ତ୍ରଣରେ ରୁହେ। ବାଦାମରେ ଥିବା ମ୍ୟାଗ୍ନେସିୟମ ମଧୁମେହରୁ ରକ୍ଷା କରିଥାଏ। -ହୃଦୟ ପାଇଁ ଜରୁରୀ ଅଲମଣ୍ଡ: ହୃଦ୍‌ରୋଗର ପ୍ରମୁଖ କାରଣ ମଧ୍ୟରୁ କୋଲେଷ୍ଟରଲ ଅନ୍ୟତମ। ହେଲେ ଅଲ୍‌ମଣ୍ଡ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ହୋଇ ନ ଥାଏ। ବିଶେଷଭାବେ ହାର୍ଟ ଆଟାକ୍‌ର ସମ୍ଭାବନା କମ୍ ହୋଇଥାଏ। ଏହାଛଡ଼ା ବାଦାମରେ ଥିବା ଭିଟାମିନ ଇ ହୃଦୟ ଏବଂ ବୟସାଧିକ ଯୋଗୁ ଆଖି ଉପରେ ପଡ଼ୁଥିବା ଖରାପ ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ।
-ମଜଭୁତ କରେ କେଶ: ଅଲମଣ୍ଡରେ ସେବନ କେଶ ପାଇଁ ଅତ୍ୟନ୍ତ ଭଲ। ଏଥିରେ ଥିବା ଓମେଗା ଫ୍ୟାଟି ଏସିଡ୍ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ଠିକ୍ କରିଥାଏ। ଏହା କେଶ ପାଇଁ ମଧ୍ୟ ଭଲ। ନିୟମିତ ଅଲ୍‌ମଣ୍ଡ ସେବନ କରିବା ଦ୍ୱାରା କେଶ ମଜଭୁତ ହୋଇଥାଏ।