Odia News Portal

କରୋନା ଯୋଗୁ ଦ୍ରୁତ ଗତିରେ ବଢ଼ିଛି ସୁନା ଦର

ନୂଆଦିଲ୍ଲୀ : କରୋନା ଭୂତାଣୁ(କୋଭିଡ-୧୯) ଯୋଗୁ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଦେଖାଦେଇଛି । ଔଦ୍ୟୋଗିକ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି । ଅଶୋଧିତ ତୈଳ ଦର ହ୍ରାସ ଘଟି ବ୍ୟାରେଲ ପିଛା ୨୦ ଡଲାରକୁ ଖସିଆସିଛି । କିନ୍ତୁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହି ଧାତୁର ଦର ୧୪୬୦ ଡଲାରରୁ ବଢ଼ି ୧୭୫୦ ଡଲାରରେ ପହଞ୍ଚିଯାଇଛି । ମାସକ ମଧ୍ୟରେ ଏଥିରେ ୨୦%ର ବୃଦ୍ଧି ଘଟିଲାଣି । ଘରୋଇ ବଜାରରେ ମାର୍ଚ୍ଚ ୧୬ରେ ଏହି ମୂଲ୍ୟବାନ ଧାତୁର ଦର ୧୦ ଗ୍ରାମ ପିଛା ୩୮୪୦୦ ଟଙ୍କା ଥିବାବେଳେ ଏପ୍ରିଲ ୧୬ରେ ୪୭,୦୦୦ ଟଙ୍କା ଅତିକ୍ରମ କରିଛି । ଏଥିରେ ପ୍ରାୟ ୨୨% ବୃଦ୍ଧି ଘଟିଛି । ତେବେ ଟ୍ରେଣ୍ଡ ଏହିଭଳି ରହିଲେ ଆଗକୁ ଏହି ହଳଦିଆ ଧାତୁର ଦର ୫୦,୦୦୦ ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆଞ୍ଜେଲ ବ୍ରୋକିଂର ମୁଖ୍ୟ ବିଶ୍ଳେଷକ ପ୍ରଥମେଶ ମାଲ୍ୟା କହିଛନ୍ତି ଯେ, ଅନିଶ୍ଚିତତାର ଏହି ପରିସ୍ଥିତି ମଧ୍ୟରେ ସୁନା ନିବେଶର ଏକ ସୁରକ୍ଷିତ ମାଧ୍ୟମ ପାଲଟିଛି ।

ଅନ୍ୟ ନିବେଶ ମୋଡ୍‌ରେ ରିସ୍କ୍‌ ରହୁଥିବାରୁ ନିବେଶକ ସୁନାକୁ ସୁରକ୍ଷିତ ମଣୁଛନ୍ତି । ସମ୍ପ୍ରତି ଶିଳ୍ପ କାରବାର ବ୍ୟାହତ ହୋଇଛି । ସମଗ୍ର ବିଶ୍ୱରେ ବିନିର୍ମାଣ କ୍ଷେତ୍ର ନିମ୍ନମଖୀ ହୋଇଛି । ବିଶ୍ୱ ବିକାଶ ହାର ମଧ୍ୟ ସଙ୍କୁଚିତ ହେବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡିକ ଆଶଙ୍କା ପ୍ରକାଶ କରିଛନ୍ତି । ଫଳରେ ଅନ୍ୟ କୌଣସି ଉତ୍ପାଦ ବଦଳରେ ସୁନାରେ ନିବେଶ ବଢ଼ିଛି । ଚାହିଦା ବଢ଼ିବା ଦ୍ୱାରା ସୁନା ପୂର୍ବାପେକ୍ଷା ଅଧିକ ଚମକୁଛି । ପ୍ରଥମେ ମାଲ୍ୟା କହିଛନ୍ତି ଯେ, ସମଗ୍ର ବିଶ୍ୱରେ କୋଭିଡ-୧୯ର ଭୟାବହତା ଦିନକୁ ଦିନ ବଢ଼ିଚାଲିଛି । ଏଭଳି ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ଆହୁରି ବଢ଼ିଚାଲିବ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୮୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଘରୋଇ ବଜାରରେ ଏହା ୫୦,୦୦୦ ଟଙ୍କା ଅତିକ୍ରମ କରିପାରେ ।