Odia News Portal

ବନବାସ ବେଳେ ଶବରୀଙ୍କ ଅଁଇଠା ଫଳ ଖାଇ ଦୁନିଆକୁ ଏହି ବାର୍ତ୍ତା ଦେଇଥିଲେ ଶ୍ରୀରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପିତୃବଚନ ପାଳନ କରିବା ପାଇଁ ୧୪ ବର୍ଷ ଲାଗି ବନବାସ ଯାଇଥିଲେ। ଏହି ସମୟରେ ସେ ଜଣେ ଶବରୀଙ୍କୁ ସାକ୍ଷାତ କରିଥିଲେ। ଶବରୀଙ୍କ ପ୍ରକୃତ ନାମ ଥିଲା ଶ୍ରମଣା। ସେ ଭିଲ ସମୁଦାୟର ଥିଲେ। ଏଣୁ ତାଙ୍କ ବିବାହ ଜଣେ ଭିଲ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଶବର ହୋଇଥିବାରୁ ପରମ୍ପରା ମୁତାବକ ବିବାହ ପାଇଁ ପଶୁବଳି ଦିଆଯାଇଥିଲା। ଏହା ଦେଖିବା ପରେ ଶ୍ରମଣାଙ୍କ ମନ ପରିବର୍ତ୍ତନ ହୋଇଥିଲା। ଏହି ପରମ୍ପରାକୁ ସେ ଗ୍ରହଣ କରିନପାରି ବିବାହର ରାତିକ ପୂର୍ବରୁ ଘର ଛାଡ଼ି ଦଣ୍ଡକାରଣ୍ୟ ଚାଲି ଆସିଥିଲେ।

ସେଠାରେ ଶ୍ରମଣା ଋଷି ମାତଙ୍ଗଙ୍କ ସେବା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମନରେ ଭୟ ଥିଲା ଶବରୀ ହୋଇଥିବାରୁ କାଳେ ଋଷି ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ ନକରିବେ। ଏଣୁ ସେ ଋଷିଙ୍କୁ ସାକ୍ଷାତ କରିବାକୁ ସାହସ ଜୁଟାଇପାରିନଥିଲେ। କିନ୍ତୁ ପ୍ରତିଦିନ ସକାଳୁ ଉଠି ସେ ଆଶ୍ରମରୁ ନଦୀକୁ ଯାଉଥିବା ରାସ୍ତାକୁ ପରିଷ୍କାର କରୁଥିଲେ। ଫଳରେ ଋଷି ବିନା ସମସ୍ୟାରେ ନଦୀକୁ ସ୍ନାନ ନିମନ୍ତେ ଯାଇପାରୁଥିଲେ। କିନ୍ତୁ ଏନେଇ ଯେମିତି କେହି ନ ଜାଣନ୍ତି ସେଥିପ୍ରତି ସେ ବିଶେଷ ଯତ୍ନବାନ ଥିଲେ।

ଦିନେ ଶବରୀଙ୍କୁ ରାସ୍ତା ପରିଷ୍କାର କରୁଥିବା ଋଷି ମାତଙ୍ଗ ଦେଖିଦେଇଥିଲେ। ତାଙ୍କ ସେବା ଦେଖି ସେ ଖୁବ୍‌ ପ୍ରସନ୍ନ ହୋଇଥିଲେ। ଶବରୀଙ୍କ ନିଷ୍ଠା ଦେଖି ଋଷି ତାଙ୍କୁ ନିଜ ଆଶ୍ରମରେ ଶରଣ ଦେଇଥିଲେ। ଋଷି ମାତଙ୍ଗଙ୍କ ଅନ୍ତିମ ସମୟ ବେଳେ ସେ ଶବରୀଙ୍କୁ ଡାକି ଆଶ୍ରମରେ ପ୍ରଭୁ ଶ୍ରୀରାମଙ୍କ ଅପେକ୍ଷା କରିବାକୁ କହିଥିଲେ। ତାଙ୍କ ଆର୍ଶୀବାଦରେ ଶବରୀ ମୋକ୍ଷ ପ୍ରାପ୍ତି କରିବେ ବୋଲି କହି ଋଷି ଦେହତ୍ୟାଗ କରିଥିଲେ।
ଗୁରୁଙ୍କ କଥା ମାନି ଶବରୀ ପ୍ରତିଦିନ ଶ୍ରୀରାମଙ୍କୁ ପ୍ରତିକ୍ଷା କରିଥିଲେ। ରାମଚନ୍ଦ୍ରଙ୍କ ପାଇଁ ସେ ରାସ୍ତାକୁ ଫୁଲରେ ସଜାଉଥିଲେ। ପ୍ରଭୁଙ୍କ ପାଇଁ ସେ କୋଳି ଓ ଅନ୍ୟାନ୍ୟ ଫଳ ତୋଳି ସାଇତି ରଖୁଥିଲେ। ରାମଚନ୍ଦ୍ରଙ୍କୁ ମିଠାଫଳ ଦେବା ପାଇଁ ସେ ପ୍ରତ୍ୟେକ କୋଳିକୁ ପ୍ରଥମେ ନିଜେ ଚାଖୁଥିଲେ। ଏଭଳି ଅନେକ ବର୍ଷ ବିତିଗଲା।

ଦିନେ ସେ ଜାଣିବାକୁ ପାଇଲେ ଯେ ଦୁଇ ଜଣ ଯୁବକ ତାଙ୍କୁ ଖୋଜୁଛନ୍ତି। ସେ ଜାଣିଗଲେ ଯେ ଏହି ଦୁହେଁ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣ। ସେ ଯୁବକ ଦ୍ୱୟଙ୍କୁ ଦେଖି ନିଜ କୁଟୀରକୁ ସ୍ୱାଗତ କରିଥିଲେ। ତାଙ୍କ ଚରଣ ଧୋଇ ବସିବାକୁ ଆସନ ଦେଇଥିଲେ। ପରେ ସେ ନିଜେ ଚାଖି ରଖିଥିବା ମିଠା ଫଳକୁ ରାମଙ୍କୁ ଖାଇବାକୁ ଦେଇଥିଲେ। ଶବରୀଙ୍କ ଅନାବିଳ ଭକ୍ତି ଓ ନିଃସ୍ୱାର୍ଥପର ସେବା ଦେଖି ଭଗବାନ ରାମ ତାଙ୍କୁ ଭାମିନୀ ବୋଲି ସମ୍ବୋଧିତ କରିଥିଲେ।

ଭାମିନୀର ଅର୍ଥ ଅନନ୍ୟ ଆଦରଣୀୟ ନାରୀ। ଶ୍ରୀରାମ କୋଳି ଖାଇସାରିବା ପରେ କହିଥିଲେ ଯେ ଭାମିନୀ ମୁଁ କେବଳ ପ୍ରେମ ସମ୍ପର୍କକୁ ମାନେ। ତୁମେ କିଏ, କେଉଁ ପରିବାରର, କେଉଁ ଜାତିର, କେଉଁ ଗୋତ୍ରର ତାହା କୌଣସି ମାନେ ରଖେନାହିଁ। ତୁମର ମୋ ପ୍ରତି ଥିବା ଭଲ ପାଇବା ମୋତେ ତୁମ କୁଟୀର ଯାଏଁ ଟାଣି ଆଣିଛି। ଶ୍ରୀରାମଙ୍କ ଆଶୀର୍ବାଦରେ ଶବରୀ ଶେଷରେ ସ୍ୱର୍ଗାଲୋକ ଗମନ କରିଥିଲେ।