Odia News Portal

ବିଟ ଲୁଣ ଅଧିକ ଖାଇଲେ ହୋଇଥାଏ ଏହିସବୁ କ୍ଷତି, ଆସନ୍ତୁ ଜାଣିବା …

ଭୁବନେଶ୍ୱର : କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକୁ ଅଧିକ ସୁସ୍ୱାଦୁ କରିବା ପାଇଁ ଆମେ ସେଥିରେ ବିଟ ଲୁଣ ପକାଇଥାଉ। ଏହା ଖାଦ୍ୟକୁ କେବଳ ସ୍ୱାଦିଷ୍ଟ କରେ ନାହିଁ, ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଔଷଧୀୟ ଗୁଣ ଅଛି ବୋଲି ଏହାକୁ କେବେ ଅଧିକ ଖାଇବେ ନାହିଁ। କାରଣ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବିଟ ଲୁଣର ଉପକାରିତା ଓ ଅପକାରିତା ବିଷୟରେ।

ବିଟ ଲୁଣର ଉପକାରୀ ଗୁଣ

୧. ଏଥିରେ ବହୁତ ମାତ୍ରାରେ ମିନେରାଲ୍ସ ରହିଥାଏ, ଯାହା କୋଷ୍ଠକାଠିନ୍ୟ, ଏସିଡିଟି ଓ ବାନ୍ତି ପରି ସମସ୍ୟାକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହିସବୁ ସମସ୍ୟା ଥିଲେ, ଲେମ୍ୱୁପାଣିରେ ବିଟ ଲୁଣ ପକାଇ ପିଅନ୍ତୁ।

୨. ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ହେଉଛି, ତା’ହେଲେ ବିଟ ଲୁଣ ଖାଆନ୍ତୁ। ଏଥିରେ ଥିବା ପୋଟାସିୟମ୍‌ ଆପଣଙ୍କୁ ଆରାମ ଦେବ।

୩. ସେହିପରି କିଛି ଲୋକଙ୍କର ଆଲର୍ଜି ଓ ଥଣ୍ଡା ଯୋଗୁ ନାକ ବନ୍ଦ ହୋଇଯାଇଥାଏ। ଏପରିକି ତଣ୍ଟିରେ କଷ୍ଟ ଅନୁଭବ ହୋଇଥାଏ। ଏହି ସମୟରେ ଉଷୁମ ପାଣିରେ ତୁଳସୀ ପତ୍ର, ଗୋଲମରିଚ ଓ ବିଟ ଲୁଣ ପକାଇ ପିଅନ୍ତୁ। ନିଶ୍ଚୟ ଆରାମ ପାଇବେ।

୪. ଓଜନ କମାଇବା ପାଇଁ ଲେମ୍ୱୁ ପାଣିରେ ବିଟ ଲୁଣ ପକାଇ ପିଅନ୍ତୁ। ଏହାଦ୍ୱାରା ଭୋକ କମ୍‌ ଲାଗିଥାଏ ଓ ଓଜନ କମ୍‌ ହୋଇଥାଏ।

୫. ଶରୀରରେ କୋଲେଷ୍ଟୋରେଲ ଅଧିକ ଥିଲେ ବିଟ ଲୁଣ ଖା’ନ୍ତୁ। ଏହା ଆପଣଙ୍କ ରକ୍ତକୁ ପତଳା କରିଥାଏ। ଫଳରେ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହିତ କୋଲେଷ୍ଟୋରେଲ କମ୍‌ ହୋଇଥାଏ।

୬. ଗାଧୋଇବା ସମୟରେ ପାଣିରେ ଅଳ୍ପ ବିଟ ଲୁଣ ପକାଇ ଗାଧାନ୍ତୁ। ଏପରି କଲେ ଆପଣଙ୍କ ଶରୀରରୁ ଡେଡ୍‌ ସେଲ୍‌ ସହଜରେ ବାହାରିଯିବା ସହିତ ଚମ ଚିକ୍କଣ ହୋଇଥାଏ।

୭. କେଶ ଫାଟୁଥିଲେ କିମ୍ୱା ରୂପୀ ସମସ୍ୟା ଥିଲେ, ଲେମ୍ୱୁ ବା ଟମାଟୋ ରସରେ ବିଟ ଲୁଣ ମିଶାଇ ପିଅନ୍ତୁ।

ବିଟ ଲୁଣ ଅଧିକ ଖାଇଲେ ହୋଇଥାଏ ଏହିସବୁ କ୍ଷତି
୧. ବିଟ ଲୁଣ ଅଧିକ ଖାଇଲେ ବ୍ଲଡ୍‌ ପ୍ରେସର ବଢ଼ିଥାଏ। ଏଥିପାଇଁ ଯେଉଁମାନଙ୍କର ବ୍ଲଡ୍‌ ପ୍ରେସର ଅଛି, ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରି ବିଟ ଲୁଣ ଖା’ନ୍ତୁ।

୨. ଏହାକୁ ଅଧିକ ଖାଇଲେ ଆପଣଙ୍କ ଶରୀରରେ ସୋଡିୟମ୍‌ର ମାତ୍ରା ବଢ଼ିଥାଏ। ଏହାଦ୍ୱାରା ଆପଣଙ୍କ କିଡ୍‌ନୀର କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିଥାଏ।

୩. ହୃଦ୍‌ଜନିତ ରୋଗର କାରକ ମଧ୍ୟ ବିଟ ଲୁଣ। କାହିଁକିନା ରକ୍ତଚାପ ବଢ଼ିଲେ ହୃଦ୍‌ଘାତ ଜନିତ ସମସ୍ୟା ଉତ୍ପନ୍ନ ହୋଇଥାଏ।

୪. ବିଟ ଲୁଣରେ ସୋଡିୟମ୍‌ ଅଧିକ ଥିବାରୁ ଆପଣଙ୍କ ଶରୀରରେ ଷ୍ଟୋନ୍‌ ହେବାର ଆଶଙ୍କା ମଧ୍ୟ ରହିଛି।