Odia News Portal

ଶ୍ରବଣ ଶକ୍ତି ଛଡାଇ ନେଉଛି କରୋନା

ଭାଇରସ ସମ୍ପର୍କରେ ନିୟମିତ ଭାବେ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସୁଛି । ଏହି କ୍ରମରେ ଏବେ ବ୍ରିଟେନର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିମାନେ ଶ୍ରବଣ ଶକ୍ତି ବି ହରାଉଛନ୍ତି । ପ୍ରତି ୮ ଜଣ ରୋଗୀଙ୍କ ଭିତରୁ ଜଣେ ରୋଗୀଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଯାଉଛି । ସେମାନେ ୧୨୧ ଜଣ ପ୍ରାପ୍ତ ବୟସ୍କ ରୋଗୀଙ୍କ ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ଦେଇଛନ୍ତି।

ମାଞ୍ଚେଷ୍ଟର ୟୁନିଭରସିଟିର ଅଡିଓଲୋଜିଷ୍ଟମାନେ ଉଇଥେନସା ହସ୍ପିଟାଲର ୧୨୧ ଜଣ ରୋଗୀଙ୍କ ଉପରେ ଅନୁଧ୍ୟାନ କରିଥିଲେ । ଏହି ରୋଗୀମାନଙ୍କୁ ସେମାନଙ୍କର ଶ୍ରବଣ ଶକ୍ତି ସମ୍ପର୍କରେ ପଚରାଯିବାରୁ ସେମାନଙ୍କ ଭିତରୁ ୧୬ ଜଣ କହିଥିଲେ ଯେ ହସ୍ପିଟାଲରୁ ଡିସଚାର୍ଜ ହେବାର ୮ ସପ୍ତାହ ପରେ ସେମାନଙ୍କର ଶ୍ରବଣ ଶକ୍ତି ହ୍ରାସ ପାଇଥିବାର ସେମାନେ ମନେ କରୁଛନ୍ତି । ୧୬ ଜଣଙ୍କ ଭିତରୁ ୮ ଜଣ କହିଥିଲେ ଯେ ସେମାନେ ଠିକ୍‌ ଭାବେ ଶୁଣିପାରୁନାହାନ୍ତି । ବାକି ୮ ଜଣ କହିଥିଲେ ଯେ ସେମାନଙ୍କୁ ସବୁବେଳେ କାନରେ କିଛି ଘଣ୍ଟି ବାଜୁଥିବା କିମ୍ବା କିଛି ଗର୍ଜନ କରୁଥିବା ପରି ଶଦ୍ଦ ଶୁଣାଯାଉଛି। ଚିକିତ୍ସାବିଜ୍ଞାନରେ ଏପରି ଲକ୍ଷଣକୁ ଟିନିଟସ୍‌ ବୋଲି କୁହାଯାଏ । ଏହାକୁ ଆଧାର କରି ଗବେଷକମାନେ କହିଛନ୍ତି ଯେ କରୋନା ଭାଇରସ କାନ ଏବଂ ମାଷ୍ଟଏଡ୍‌ ବୋନ୍‌କୁ ବି ପ୍ରଭାବିତ କରିପାରେ ।