ବଗିଚାରେ ଗେଣ୍ଡୁ ଫୁଲର ସମାହାର ବେଶ ମନଛୁଆଁ । ଗେଣ୍ଡୁର ମହକ ଆଉ ସୌନ୍ଦର୍ଯ୍ୟକୁ ଟିକେ ମନଭରି ଉପଭୋଗ କରିବା ପାଇଁ ଲୋକମାନେ ଚାହିଁ ରହିଥାନ୍ତି । ସାଧାରଣତଃ ଶୀତ ଦିନେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଘର କରିବସେ । ଆସନ୍ତୁ ସେଇ ଗେଣ୍ଡୁଫୁଲକୁ କେମିତି ଚାଷ କରିବା, ସେ ବିଷୟରେ ଜାଣିବା ଆଉ ଗେଣ୍ଡୁର ମହକରେ ମହକିତ ହୋଇଯିବା । ସାଧାରଣତଃ ଗେଣ୍ଡୁଫୁଲ ଦୁଇ ପ୍ରକାରର ଥାଏ । ଆଫ୍ରିକୀୟ ଗେଣ୍ଡୁ ଓ ଫରାସୀ ଗେଣ୍ଡୁ ।
ଆଫ୍ରିକୀୟ ଗେଣ୍ଡୁ :-
ଏଥିରେ ଗଛ ଗୁଡିକ ଅପେକ୍ଷାକୃତ ଭାବେ ଉଚ୍ଚ ଏବଂ ଫୁଲ ଗୁଡିକ ବଡ ହୋଇଥାଏ । ଗଛଟି ପ୍ରଥମେ ପୂର୍ଣ୍ଣ ଉଚ୍ଚତା ପର୍ଯ୍ୟନ୍ତ ବଢିବାପରେ ଶାଖା ପ୍ରଶାଖା ବାହାରିଥାଏ । ଉନ୍ନତ କିସମ : ଜିଆଣ୍ଟ ଡବଲ ଆଫ୍ରିକାନ୍ ଅରେଞ୍ଜ / ୟଲୋ, ପୁଷା ବାସନ୍ତୀ, ପୁଷା ନାରଂଗୀ, ସ୍ପନ୍ ୟଲୋ/ଗୋଲ୍ଡ଼ ।
ଫରାସୀ ଗେଣ୍ଡୁ :-
ଏଥିରେ ଗଛ ଗୁଡିକ ଛୋଟ ଏବଂ ଫୁଲର ଆକାର ମଧ୍ୟ ଛୋଟ ହୋଇଥାଏ । ଗଛରେ ପ୍ରଥମରୁ ଅନେକ ଶାଖା ପ୍ରଶାଖା ବାହାରିଥାଏ । ଫୁଲ ଗୁଡିକରେ ଲମ୍ବା ନାଡ ଦେଖାଯାଏ । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ ଅଧିକ ବ୍ୟବହାର କରାଯାଏ । ଉନ୍ନତ କିସମ : ବଟର ସ୍କଚ୍, ହନି କମ୍ବ, ହାପି ଅରେଞ୍ଜ / ୟଲୋ ।