ଶାସ୍ତ୍ରରେ କୁହାଯାଇଛି ଯେ ଦୁଇଟି ଜିନିଷକୁ ଶ୍ରୀକୃଷ୍ଣ ତାଙ୍କ ଜୀବନରେ ସବୁଠୁ ବେଶୀ ଭଲ ପାଉଥିଲେ। ସେହି ଦୁଇଟି ଜିନିଷ ହେଉଛି ରାଧା ଏବଂ ବଇଁଶୀ। ଶ୍ରୀକୃଷ୍ଣଙ୍କ ବଇଁଶୀ ଶବ୍ଦ ଶୁଣି ରାଧା ତାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ। ଶ୍ରୀକୃଷ୍ଣ ରାଧାଙ୍କ ପାଇଁ ନିଜ ପାଖରେ ସବୁବେଳେ ବଇଁଶୀ ରଖୁଥିଲେ। ବଇଁଶୀ ଉଭୟଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ।

ଯେତେବେଳେ କଂସମାମୁଁ ବଳରାମ ଏବଂ କୃଷ୍ଣଙ୍କୁ ଆମନ୍ତ୍ରଣ କରିଥିଲେ ସେତେବେଳେ ପ୍ରଥମ ଥର ଭଗବାନ ଶ୍ରୀକୃଷ୍ଣ ରାଧାଙ୍କଠୁ ଅଲଗା ହୋଇଥିଲେ। ଶ୍ରୀକୃଷ୍ଣ ଖୁବ୍ ଶୀଘ୍ର ଫେରି ଆସିବାକୁ ରାଧାଙ୍କୁ ଶପଥ କରିଥିଲେ। କିନ୍ତୁ କୃଷ୍ଣ ତାଙ୍କ ପାଖକୁ ଫେରି ନଥିଲେ। ରୁକ୍ମଣୀଙ୍କ ସହ କୃଷ୍ଣଙ୍କ ବିବାହ ହୋଇଯାଇଥିଲା।

କୃଷ୍ଣ ବୃନ୍ଦାବନ ଛାଡ଼ି ଦେବା ପରେ ରାଧାଙ୍କ ବର୍ଣ୍ଣନ କମ୍ ହୋଇଯାଇଥିଲା। ଯେତେବେଳେ ଶେଷ ଥର ରାଧା ଏବଂ କୃଷ୍ଣ ଦେଖା ହୋଇଥିଲେ କୃଷ୍ଣ ରାଧାଙ୍କୁ କହିଥିଲେ ଯେ ସେ ରାଧା ସବୁବେଳେ ତାଙ୍କ ମନରେ ରହିବେ। ଏହା ପରେ କୃଷ୍ଣ ମଥୁରା ଯାଇ କଂସ ଏବଂ ବାକି ରାକ୍ଷସଙ୍କୁ ମାରିଥିଲେ। ଏହା ପରେ କୃଷ୍ଣ ପ୍ରଜାଙ୍କ ରକ୍ଷା କରିବା ପାଇଁ ଦ୍ବାରକା ଚାଲିଯାଇଥିଲେ।

କୃଷ୍ଣ ବୃନ୍ଦାବନ ଛାଡ଼ି ଚାଲିଯିବା ପରେ ରାଧାଙ୍କ ଜୀବନ ବଦଳି ଯାଇଥିଲା। ଜଣେ ଯାଦବଙ୍କ ସହ ରାଧାଙ୍କ ବିବାହ ହୋଇଯାଇଥିଲା। ତାଙ୍କ ଦାମ୍ପତ୍ୟ ଜୀବନର ସମସ୍ତ ନିୟମ ସେ ପାଳନ କରିଥିଲେ ଏବଂ ବୁଢ଼ୀ ହୋଇଯାଇଥିଲେ। କିନ୍ତୁ କୃଷ୍ଣଙ୍କ ପାଇଁ ତାଙ୍କ ମନ ସେତେବେଳେ ବି ସମର୍ପିତ ଥିଲା।

ରାଧା ଯେତେବେଳେ କର୍ତ୍ତବ୍ୟମୁକ୍ତ ହୋଇଯାଇଥିଲେ ଶେଷ ଥର ପାଇଁ ପ୍ରିୟତମ କୃଷ୍ଣଙ୍କୁ ଭେଟିବାକୁ ଯାଇଥିଲେ। ରାଧା ଦ୍ବାରକା ଯିବା ପରେ କୃଷ୍ଣ,ରୁକ୍ମଣୀ ଏବଂ ସତ୍ୟଭାମାଙ୍କୁ ବିବାହ କରିଥିବା କଥା ଜାଣିପାରିଥିଲେ। କିନ୍ତୁ ସେ ଟିକେ ବି ନିରାଶ ହୋଇନଥିଲେ। କୃଷ୍ଣ ରାଧାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ। ଦୁହେଁ ସଙ୍କେତ ଜରିଆରେ ପରସ୍ପର ସହିତ ଦୀର୍ଘ ସମୟ କଥା ହୋଇଥିଲେ।

କାହ୍ନାଙ୍କ ନଗରୀ ଦ୍ବାରକାରେ ରାଧାଙ୍କୁ କେହି ଜାଣିନଥିଲେ। କୃଷ୍ଣ ତାଙ୍କ ପ୍ରାସାଦରେ ରାଧାଙ୍କୁ ଦେବିକା ନାଁରେ ତାଙ୍କ ଅନୁରୋଧ କ୍ରମେ ନିଯୁକ୍ତ କରିଥିଲେ। ଏହି ପ୍ରାସାଦରେ ରାଧା ଦିନସାରା ରହି ସମସ୍ତ କାମ କରୁଥିଲେ। ରାଧାଙ୍କୁ ସୁଯୋଗ ମିଳିଲେ ସେ କୃଷ୍ଣଙ୍କୁ ଦର୍ଶନ କରୁଥିଲେ।
ଯେତେ ଦିନ ଗଡ଼ୁଥିଲା ସେତେ ରାଧା ଏକୁଟିଆ ଏବଂ ଦୁର୍ବଳ ହେବାକୁ ଲାଗିଥିଲେ। ଶ୍ରୀକୃଷ୍ଣଙ୍କୁ ରାଧା ଅନ୍ତିମ ଥର ବଇଁଶୀ ବଜାଇବାକୁ କହିଥିଲେ। ବଇଁଶୀ ସ୍ବର ଶୁଣି ଶୁଣି ରାଧା ଦେହ ତ୍ୟାଗ କରିଥିଲେ। ଭଗବାନ କୃଷ୍ଣ ଜାଣିଥିଲେ ଯେ ତାଙ୍କ ପ୍ରେମ ଅମର। ଏହା ସତ୍ବେ ସେ ରାଧାଙ୍କ ମୃତ୍ୟୁକୁ ସ୍ବୀକାର କରିପାରୁନଥିଲେ। କୃଷ୍ଣ ତାଙ୍କ ବଇଁଶୀ ଭାଙ୍ଗି ଦେଇଥିଲେ ଏବଂ ବୁଦାରେ ଫିଙ୍ଗି ଦେଇଥିଲେ। ଶ୍ରୀକୃଷ୍ଣ ଏହା ପରଠୁ ଆଉ କେବେ ବଇଁଶୀ ବଜାଇ ନଥିଲେ।
