Odia News Portal

‘ମୋନାଲିସା’ ପେଣ୍ଟିଂ ଏତେ ଭିନ୍ନ କାହିଁକି, ଜାଣନ୍ତୁ

ବିଶ୍ୱରେ ଯେତେ କଳାକୃତି ଅଛି ଏଥିରେ ଏକ ପେଣ୍ଟିଂ ‘ମୋନାଲିସା’କୁ ଖୁବ୍ ଦୁର୍ଲଭ କୁହାଯାଏ । ପେଣ୍ଟିଂ କୁ ଦେଖିବାକୁ ପ୍ରତ୍ୟହ ଦେଶବିଦେଶରୁ ଛୁଟି ଆସୁଛନ୍ତି ଲୋକେ। ୩୦ ଇଞ୍ଚରେ ୨୧ ଇଞ୍ଚର ଏହି ପେଣ୍ଟିଂଟି ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡ ଦା ଭିନ୍ସିଙ୍କ କୃତି। ଏହି ପେଣ୍ଟିଂଟିକୁ ୧୫୦୩-୧୫୦୬ ମଧ୍ୟରେ ଅଙ୍କନ କରିଥିଲେ।

କୁହାଯାଏ ବିଶ୍ୱର କଳାଜଗତକୁ ଦାଭିନ୍ସିଙ୍କର ଏହା ସର୍ବୋତ୍କୃଷ୍ଟ ଉପହାର। ଯେଉଁଥିରେ ସେ କଳା ସାଙ୍ଗକୁ ବିଜ୍ଞାନର ବି ଉପଯୋଗ କରିବାକୁ ଭୁଲି ନଥିଲେ। ପେଣ୍ଟିଂରେ ସେ ଆପଣେଇଥିବା ଗୋଲ୍ଡେନ ରେସିଓ ବା ଦିବ୍ୟ ଅନୁପାତର ରହସ୍ୟ ଆଜିବି କଳାକାର ଓ ବୈଜ୍ଞାନିକ ଭେଦ କରିପାରିନାହାନ୍ତି। ଏହି ଅନୁପାତ ହିଁ ପେଣ୍ଟିଂକୁ ଦେଖୁଥିବା ଲୋକକୁ ଅଭିଭୂତ କରିଥାଏ। ଏଣୁ ସଂଗ୍ରହାଳୟରେ ମୋନାଲିସା ଠାରୁ ବି ସୁନ୍ଦରସୁନ୍ଦର ପେଣ୍ଟିଂ ଥିଲେ ବି ଲୋକେ ମୋନାଲିସା ଆଗରେ ଘଣ୍ଟାଘଣ୍ଟା ଛିଡା ହୋଇ ଏହାକୁ ନିରିକ୍ଷଣ କରୁଥିବା ଦେଖାଯାଆନ୍ତି।

ସେହିପରି ପେଣ୍ଟିଂରେ ମୋନାଲିସାର ହସ ମଧ୍ୟ ବର୍ଷବର୍ଷରୁ ରହସ୍ୟ ହୋଇ ଆସିଛି। ପେଣ୍ଟିଂର ସ୍ମିତ ହାସ୍ୟ ବା ଇଂରାଜୀରେ ସ୍ମିର୍କର ଏପର୍ୟ୍ୟନ୍ତ ବର୍ଗିକରଣ ହୋଇପାରିନଥିବା ବେଳେ ନାରୀ ହସର ଅନେକ ରହସ୍ୟକୁ ଏହା ବଖାଣି ଆସୁଛି। ପେଣ୍ଟିଂର ଏହି ହସ ହିଁ ସାଧାରଣ ଦର୍ଶକକୁ ଜଣେ ତଟସ୍ଥ ଦର୍ଶକରୁ ସକ୍ରିୟ ଲିପ୍ତ ପାତ୍ରରେ ପରିବର୍ତ୍ତିତ କରୁଛି। ତେବେ ମୋନାଲିସାର ଆହୁରି ଏକ ସିଦ୍ଧାନ୍ତ ହେଉଛି ଏହା କୌଣସି ସୁନ୍ଦରୀ ମହିଳାଙ୍କ ପେଣ୍ଟିଂ ନୁହେଁ ନିଜେ ଦାଭିନ୍ସିଙ୍କ ପେଣ୍ଟିଂ ବୋଲି ବି ଏବେ କୁହାଗଲାଣି। ତେବେ କେବଳ ଏତିକି ନୁହେଁ ମୋନାଲିସା ଦୁର୍ଲଭ ହେବାର ଆହୁରି ବି ଅନେକ କାରଣ ରହିଛି।