ଭୁବନେଶ୍ବର: ଆସନ୍ତା ୭ ତାରିଖ(ସୋମବାର)ରେ ପଡ଼ୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏହା ଭୋର ୫ଟା ୪ ମିନିଟ୍ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଏହି ବର୍ଷ ୩ଟି ସୂର୍ଯ୍ୟପରାଗ ସଂଘଟିତ ହେବ। ପ୍ରଥମ ପରାଗ ଆଂଶିକ ହେବ। ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଏହା ଏସିଆ ମହାଦେଶର ଉତ୍ତରପୂର୍ବ ଓ ଉତ୍ତର ଆଣ୍ଟାର୍କଟିକାର କିଛି ଅଞ୍ଚଳକୁ ଦୃଶ୍ୟମାନ ହେବ। ସେହିଭଳି ଜୁଲାଇ ୨ ତାରିଖରେ ଦ୍ବିତୀୟ ସୂର୍ଯ୍ୟପରାଗ ସଂଘଟିତ ହେବ। ଏହା ପୂର୍ଣ୍ଣ ପରାଗ ହୋଇଥିଲେ ମଧ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ। ତୃତୀୟ ତଥା ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୨୬ ତାରିଖରେ ସଂଘଟିତ ହେବ। ଏହି ସମୟରେ ସୂର୍ଯ୍ୟଙ୍କ ଚାରିପାଖେ ବଳୟ ଦୃଶ୍ୟମାନ ହେବ। ଏହା ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଆଂଶିକ ଓ କେରଳ ଆଖପାଖ ଅଞ୍ଚଳକୁ ବଳୟ ସହ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ବୋଲି ଡ. ପଟ୍ଟନାୟକ କହିଛନ୍ତି। ସେହିଭଳି ଜାନୁଆରି ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଓ ଜୁଲାଇ ୧୬ ତାରିଖରେ ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ୨୧ତାରିଖ ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ ନାହିଁ ବୋଲି ସୂଚନା ମିଳିଛି।