Odia News Portal

୧୧ ସହରରେ ପାରଦ ୪୦ ପାର୍

୪୩ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମିଳିଲା ତାତିରୁ ସାମାନ୍ୟ ଆଶ୍ୱସ୍ତି । ଦୁଇ-ତିନିଦିନ ହେବ ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳି ବଡ଼ିଥିବା ସମୟରେ ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜଧାନୀ ଭୁବନେଶ୍ୱରେ ତାପମାତ୍ରା ୪୦ ଡିଗ୍ରୀରୁ ଖସି ୩୮.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବୌଦ୍ଧରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ପାରଦ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ, ସମ୍ବଲପୁରରେ ୪୧.୬ ଡିଗ୍ରୀ ରହିଛି । ଭୁବନେଶ୍ୱର ପାରଦ ୩୮.୨ ଡିଗ୍ରୀ ଓ କଟକରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟରେ ୨ ତାରିଖ ପାଇଁ ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୩ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ତାରିଖ ଲାଗି ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ରାଜ୍ୟର କେତେକ ସ୍ଥାନରେ ଆଉ ୨ ଦିନ ମଧ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗର ଅନୁମାନ |