ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି। ବୁମରାଙ୍କୁ ମଧ୍ୟ ବିସିସିଆଇ ଛୁଟି ପ୍ରଦାନ କରିଛି। ଅନ୍ୟପଟେ ଦକ୍ଷିଣ ଭାରତୀୟ ସିନେ ଜଗତର ଅଭିନେତ୍ରୀ ଅନୁପମା ପରମେଶ୍ଵରନ ମଧ୍ୟ ଛୁଟି ନେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ଅନୁପମା।
ବିସିସିଆଇର ଜନୈକ ଅଧିକାରୀ ଗତକାଲି କହିଥିଲେ, ଦ୍ରୁତ ବୋଲର ବୁମରା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହାର ପ୍ରସ୍ତୁତି ପାଇଁ ସେ ଟେଷ୍ଟ ସିରିଜ୍ରୁ ହଟି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ବିବାହ କରିବାକୁ ଯାଉଥିବା ବୋର୍ଡକୁ ମଧ୍ୟ ଜଣାଇଛନ୍ତି ଏବଂ ଏହି ବଡ ଆୟୋଜନର ପ୍ରସ୍ତୁତି ପାଇଁ କିଛି ସମୟ ଚାହୁଁଥିବା କହିଥିଲେ। ହେଲେ ତାଙ୍କ ବିବାହ କାହା ଏବଂ କେବେ ହେବ ଏହାର ସୂଚନା ଦେଇ ନଥିଲେ।
ଅନ୍ୟପଟେ ସାଉଥ୍ ଅଭିନେତ୍ରୀ ଅନୁପମା ପରମେଶ୍ଵର ଛୁଟି ନେବାରୁ ବୁମରା ଏବଂ ସେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ୨୫ ବର୍ଷୀୟ ଅନୁପମା ତେଲୁଗୁ ଓ ମାଲାୟଲମ ଫିଲ୍ମରେ କାମ କରି ସାରିଛନ୍ତି। କିଛି ସମୟ ପୂର୍ବେ ବୁମରା ଓ ଅନୁପମାଙ୍କ ଡେଟିଂ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ଅନୁପମା ମଙ୍ଗଳବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡିଥିଲେ। ଏଥିରେ ସେ ଗାଲରେ ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି। ସେ ଲେଖିଥିଲେ ‘ହାପି ହଲିଡେ ଟୁ ମି’। ଏବେ ଚର୍ଚ୍ଚା ଜୋର ଧରିଛି ଯେ, କଣ ବୁମରା ଓ ଅନୁପମା ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି କି ?