ଭୁବନେଶ୍ୱର : ଆସନ୍ତା ୨୫ ତାରିଖରୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ଓପିଡି ବନ୍ଦ ରହିବ । ହସ୍ପିଟାଲର କିଛି ସ୍ୱାସ୍ଥ୍ୟକର୍ମୀ ଓ ରୋଗୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ତେବେ ଯେଉଁମାନେ ୨୫ ତାରିଖ ପୂର୍ବରୁ ଅନଲାଇନରେ ରୋଗୀଙ୍କ ଚିକିତ୍ସା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି ସେମାନେ ହସ୍ପିଟାଲ ଆସି ସେବା ପାଇପାରିବେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଏମସ୍ ରେ ଥିବା ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ଓ ରୋଗୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ବହୁ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇ ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ କ୍ୱାରେଂଟାଇନ୍ ରେ ରହିଛନ୍ତି । ତେଣୁ ୨୫ ତାରିଖରୁ ସାମୟିକ ଭାବେ ଓପିଡି ବନ୍ଦ ରହିବ । ଏଥିସହିତ ହସ୍ପିଟାଲ ପରିସରରେ କଡାକଡି ଭାବେ କୋଭିଡ୍ ପ୍ରଟୋକଲ ଫଲୋ କରାଯିବ । ଓପିଡି ବନ୍ଦ ସତ୍ୱେ ଡେ କେୟାର ସର୍ଭିସ୍ , ଡାଏଲିସିସ୍ , ରେଡିଓ ଥେରାପି, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ପଲୁମନାରି ସେବା ଜାରି ରହିବ । ହସ୍ପିଟାଲରେ ଟେଲିମେଡିସିନ ସେବା ଜାରି ରହିବ । ଲୋକମାନେ ମୋବାଇଲ୍ ଆପ୍ ଜରିଆରେ ସେବା ପାଇପାରିବେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
C