Odia News Portal

ପ୍ରଥମ ବିଜୟ ହାସଲ ଆଶାରେ ନର୍ଥଇଷ୍ଟ ୟୁନାଇଟେଡ଼ ଓ ଓଡିଶା ଏଫସି

ଗୁଆହାଟୀ : ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗରେ ନିଜ ନିଜର ପ୍ରଥମ ବିଜୟ ହାସଲ ଆଶା ନେଇ ଶନିବାର ଦିନ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ପରସ୍ପରକୁ ଭେଟିବେ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ ଓଡିଶା ଏଫସି ।

ବାହାର ପଡିଆରେ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଏକ ଗୋଲ ଶୂନ୍ୟ ଡ୍ର ସହିତ ନିଜର ଅଭିଯାନ ଆରମ୍ଭ କରିଥିଲା ହାଇଲାଣ୍ଡର୍ସ ନାମରେ ପରିଚିତ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି । ଅନ୍ୟ ପକ୍ଷରେ ନବାଗତ ଓଡିଶା ଏଫସି ତାର ସର୍ବପ୍ରଥମ ଆଇଏସଏଲ ମ୍ୟାଚରେ ଜାମସେଦପୁର ଏଫସି ନିକଟରୁ ୨-୧ ଗୋଲରେ ପରାସ୍ତ ହୋଇଥିଲା

ପ୍ରଥମ ବିଜୟ ହାସଲର ଲକ୍ଷ୍ୟ ପୁରଣ ଲାଗି ନର୍ଥଇଷ୍ଟ ୟୁନାଇଟେଡ଼ ଘରୋଇ ସମର୍ଥନ ଉପରେ ନିର୍ଭର କରିବ । ଶକ୍ତିଶାଳୀ ବେଙ୍ଗାଲୁରୁ ଏଫସି ବିପକ୍ଷରେ ତାଙ୍କ ଦଳ ଲଢୁଆ ଖେଳ ପ୍ରଦର୍ଶନ କରିଥିବାରୁ ମୁଖ୍ୟ ପ୍ରଶିକ୍ଷକ ରବର୍ଟ ଜାର୍ଣ୍ଣି ସମ୍ଭବତଃ ଖୁସି ଥିବେ । ସେଇ ମ୍ୟାଚରେ ଏକ କେନ୍ଦ୍ରୀୟ ପ୍ରତିରକ୍ଷା ଯୋଡି ଭାବେ ମିସ୍ଲାଭ କମୋରସ୍କି ଓ କାଇ ହିଅରିଙ୍ଗସ ବେଶ ଦୃଢ ପରିଲକ୍ଷିତ ହୋଇଥିଲେ । କଲମ୍ବିଆ ମିଡ଼ଫିଲଡର ଜୋସ ଲିୟୁଡୋ ସେମାନଙ୍କୁ ଭଲ ସହାୟତା ଯୋଗାଇବା ସହିତ ମିଡ଼ଫିଲଡରେ ପ୍ରତିପକ୍ଷ ଆକ୍ରମଣକୁ ପ୍ରତିହତ କରିଥିଲେ ।

ବେଙ୍ଗାଲୁରୁ ଏଫସି ଠାରୁ ଗୋଟିଏ ପଏଣ୍ଟ ପାଇବା ନେଇ ମୁଁ ଖୁସି । ଗତ ବର୍ଷର ଚାମ୍ପିଅନ ବିପକ୍ଷରେ ଆମ ଦଳ କଠିନ ପରିଶ୍ରମ କରିଥିଲା ଏବେ ଆମେ ଘରୋଇ ପଡିଆରେ ଅଧିକ ଆକ୍ରମଣାତ୍ମକ ଫୁଟବଲ ଖେଳିବାକୁ ଚେଷ୍ଟା କରିବୁ,” ବୋଲି କହିଲେ ଜାର୍ଣ୍ଣି

ତେବେ କ୍ରୋଏସିଆର ଏହି ପ୍ରଶିକ୍ଷକ ଚାହିଁବେ ଯେ ତାଙ୍କର ଫରୱାର୍ଡ଼ମାନେ ଗୋଲ ସୁଯୋଗ କାର୍ଯ୍ୟକାରୀ କରନ୍ତୁ । ଆକ୍ରମଣାତ୍ମକ ଉରୁଗୁଏ ମିଡ଼ଫିଲଡର ମାର୍ଟିନ ଚାଭେସ ଖୁବ ଶାଣିତ ଜଣାପଡୁଥିବାରୁ ଦଳର ତାରକା ଷ୍ଟ୍ରାଇକର ଆସାମୋଆ ଜ୍ୟାନ ତାଙ୍କଠାରୁ ପୁଣି ଭଲ ସହାୟତା ଆଶା କରିପାରିବେ ।

ବେଙ୍ଗାଲୁରୁ ବିପକ୍ଷରେ ସ୍କୋର କରିବା ସବୁବେଳେ କଷ୍ଟକର କାର୍ଯ୍ୟ । କିନ୍ତୁ ଜ୍ୟାନ ଭଲ ସୁଯୋଗ ପାଇଥିଲେ । ଏଠାରେ ତାଙ୍କୁ ସମସ୍ତେ ଜାଣନ୍ତି । ସେ ଆମର ଜଣେ ବହୁ ଗୁରୁତ୍ୱପୂର୍ଣ ଖେଳାଳି,” ବୋଲି ମତ ଦେଲେ ଜାର୍ଣ୍ଣି

ଅନ୍ୟ ପକ୍ଷରେ ସୁଯୋଗକୁ କାମରେ ଲଗାଇବା ହେବ ଓଡିଶା ଦଳ ପାଇଁ ବଡ କାମ । ପୂର୍ବ ମ୍ୟାଚରେ ଦଶ ଜଣିଆ ଜାମସେଦପୁର ବିପକ୍ଷରେ ପ୍ରତ୍ୟାକ୍ରମଣକୁ ପ୍ରତିହତ କରିବାରେ ସେମାନଙ୍କ ଦୁର୍ବଳତା ଧରା ପଡ଼ିଯାଇଥିଲା । ମ୍ୟାଚ ଶେଷ ଆଡକୁ ସେମାନେ ଗୋଲ ଖାଇବା ଘଟଣା ପ୍ରଶିକ୍ଷକ ଜୋସେପ ଗମ୍ବାଉଙ୍କୁ ନିଶ୍ଚୟ ହତାଶ କରିଥିବ । ତେଣୁ ଜ୍ୟାନ ଓ ଚାଭେସଙ୍କ ଭଳି ଆକ୍ରମଣକାରୀ ଖେଳାଳିଙ୍କ ପ୍ରତି କାର୍ଲସ ଡେଲଗାଡୋଙ୍କ ନେତୃତ୍ୱାଧୀନ ଓଡିଶା ଦଳର ରକ୍ଷଣ ଭାଗକୁ ସତର୍କ ରହିବାକୁ ପଡିବ ।

ଆମର ନିଜସ୍ୱ ଖେଳଶୈଳୀ ରହିଛି । ଆମେ ଆମ ମ୍ୟାଚରେ ବିପକ୍ଷ ଦଳକୁ ବହୁତ ସମ୍ମାନ ଦେଉ । ଜାମସେଦପୁର ମ୍ୟାଚର ଫଳାଫଳକୁ ନେଇ ଆମେ ଆମର ସମସ୍ତ ଖେଳାଳିଙ୍କ ସହିତ ଆଲୋଚନ କରିଛୁ । ଆମକୁ ସୁଯୋଗ ମିଳିଥିଲା, କିନ୍ତୁ ଆମେ କାର୍ଯ୍ୟକାରୀ କରିପାରିଲୁ ନାହିଁ । ତେବେ ଆମେ ଆମର ଖେଳାଳିଙ୍କୁ ନେଇ ସନ୍ତୁଷ୍ଟ,” ବୋଲି କହିଲେ ଗମ୍ବାଉ ।

ଜାମସେଦପୁର ବିପକ୍ଷରେ ଆରିଡେନଙ୍କ ସ୍ମାର୍ଟ ଗୋଲକୁ ଦେଖି ଓଡିଶା ପାଖରେ ଜଣେ ଦକ୍ଷ ସ୍କୋରର ଅଛନ୍ତି ବୋଲି ମନେହୁଏ । ସେହିପରି ଗତ ମ୍ୟାଚରେ ପୂର୍ବତନ ବେଙ୍ଗାଲୁରୁ ଏଫସି  ମିଡ଼ଫିଲଡର ଜିସ୍କୋ ହର୍ନାଣ୍ଡେଜ ମଧ୍ୟ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରିଥିଲେ । ଆସନ୍ତା କାଲି ଏକ ଟାଣୁଆ ଦଳ ବିପକ୍ଷରେ ସେମାନଙ୍କଠାରୁ ସେଇଭଳି ପ୍ରଭାବଶାଳୀ ଖେଳ ଆଶା କରାଯିବ