ଭୁବନେଶ୍ୱର : ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ରାଜଧାନୀରେ ସଂସ୍ଥାର ଚକ ଚକିଆ ଅଫିସ୍ । ହେଲେ ଫାଇଲ୍
ରହୁଛି ପ୍ରାୟ ଶହେ କିଲୋମିଟର ଦୂରରେ । ଯେତେବେଳେ ଫାଇଲ୍ ଖୋଜା ପଡୁଛି ସେତେବେଳେ ଅଫିସର ଜଣେ ଦୁଇଜଣ
କାର୍ମଚାରୀ ଗାଡିଧରି ଛୁଟୁଛନ୍ତି ଫାଇଲ୍ ଆଣିବାକୁ । ଗୋଟିଏ ଦିନ ଯିବା ଆସିବରେ ଯାଉଛି ଓ ରାଜକୋଷରୁ ଏଥିପାଇଁ ଅର୍ଥ ବି
ଶ୍ରାଦ୍ଧ ହେଉଛି । ରାଜ୍ୟ ପ୍ରଶାସନରେ ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏଭଳି ସ୍ଥିତି ଦେଖିବାକୁ ମିଳିଛି ଚିଲିକା ଉନ୍ନୟନ
କର୍ତ୍ତୃପକ୍ଷ (ସିଡିଏ) ଦପ୍ତରରେ । ଏହି ସଂସ୍ଥାର ନୂଆ ଦପ୍ତର ପ୍ରତିଷ୍ଠା ପରେ ସେଠାରେ ଆଉ ଅଫିସ୍ର ଫାଇଲ୍ ନାହିଁ । ସବୁତକ ଫାଇଲ୍ରେ ବାଲୁଗାଁ ନିକଟସ୍ଥ ଚିଲିକା କୂଳରେ ଥିବା ଦପ୍ତରକୁ ପଠାଇ ଦିଆଯାଇଛି । ପ୍ରାୟ ଶହେ କିଲୋମିଟର ଦୂରରେ ରହିଛି ଫାଇଲ୍ ।
ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଆବଶ୍ୟକ ହେଉଛି ସେତେବେଳେ ବାବୁମାନେ ଦଉଡୁଛନ୍ତି ସେଠାକୁ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିଡିଏର ନୂଆ ଦପ୍ତର ପ୍ରତିଷ୍ଠା ସମୟରେ ଏହାର ସିଇଓ ଥିବା ବାବୁ ଅଫିସର ଉପର ମହଲାରେ ବିଶାଳ ଦପ୍ତର ନିର୍ମାଣ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଠାରୁ ପ୍ରାୟ ଦୁଇଗୁଣା ବଡ । ସିଇଓଙ୍କ ଦପ୍ତରକୁ ଲାଗି ରହିଛି ଅତିଥି କକ୍ଷ । ରିଫ୍ରେସମେଣ୍ଟ ରୁମ୍ । ବିଶ୍ରାମ କକ୍ଷ ଆଦି । ଗଣ୍ଡା ଗଣ୍ଡା ଏସି ସାଙ୍ଗକୁ ବିଦେଶୀ ସାଜ ସରଞ୍ଜାମ । ପାଣି ଭଳି ପଇସା ଖର୍ଚ୍ଚ ହୋଇଛି ସେସବୁ ତିଆରିରେ । ଏହାର ହିସାବ ବି କର୍ମଚାରୀମାନେ ପାଉନାହାନ୍ତି । କାରଣ ଦପ୍ତରରେ ଅଧିକାଂଶ ହେଉଛନ୍ତି ଠିକା କର୍ମଚାରୀ । ଯିଏ ମୁଣ୍ଡ ଖେଳାଇଲା ତାହାକୁ ନାନା ଭାବେ ହଇରାଣ ହରକତ କରାଯାଉଛି । ତେବେ ବାବୁ ନିର୍ଦ୍ଦେଶ ହେଲେ ଚକଚକିଆ ଅଫିସରେ ଆଉ ପୁରୁଣା ଢାଞ୍ଚାରେ ଆଲମିରା କିମ୍ବା ଫାଇଲ ଗୁଡିକ ରହିବନାହିଁ ।
ସବୁ ବୁହାହେଲା ବାଲୁଗାଁ । ଆଲମିରା ଗଲା ତାହା ସହିତ ଫାଇଲ୍ ବି । ତଳ ମହଲାରେ କର୍ମଚାରୀମାନେ ହାତବାନ୍ଧି କିଛିଦିନ ବସିଲେ । କାମ କିଭଳି ହେବ ତାହା କେହି ଜାଣିପାରୁ ନାହାନ୍ତି । ଏବେ ଯଦି ସରକାରରୁ କୌଣସି ଚିଠି ଯାଉଛି
ତାହାର ପୂର୍ବାପର ଘଟଣା ଜାଣିବାକୁ ପୁରୁଣା ଫାଇଲ୍ ନାହିଁ । ଯଦି ନିହାତି ଦରକାର ତେବେ ଗାଡି ଧରି ଶହେ କିଲୋମିଟର ଦଉଡୁଛନ୍ତି କର୍ମଚାରୀ । ରାଜ୍ୟ ସରକାର ୫-ଟି ଓ ମୋ ସରକାର ଭଳି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ସିଡିଏରେ ଏଭଳି ବିଚିତ୍ର ଅବସ୍ଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁଯାୟୀ ଏହି ସଂସ୍ଥାରେ ଏବେ ଏକ
ପ୍ରଅକାର ତୋଗଲକି ଶାସନ ଚାଲିଛି ।
ଯିଏ ପାରିଲା ଯେତେଟି ଗାଡି ଚଢି ବୁଲୁଛି । ଯିଏ ଯାହାକୁ ପାରୁଛି ଠିକାରେ ଆଣି ନିଯୁକ୍ତି ଦେଇ ଦେଉଛି ତ ଯାହାକୁ ପାରୁଛି ବଦଳି କରିଦେଉଛି । ନୂଆ କୋଠାକୁ ଅଫିସର ସ୍ଥାନାନ୍ତର ହେବାପରେ ଏଭଳି ଅବସ୍ଥା ଏବେ ସିଡିଏକୁ ଏକ ପ୍ରକାର ପଙ୍ଗୁ କରିଦେଲାଣି । ତେଣୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ସଂସ୍ଥାରେ ଚାଲିଥିବା ଏହି ଅବ୍ୟବସ୍ଥା ଉପରେ ତୁରନ୍ତ ଅଙ୍କୁଶ ଲଗାଇବାକୁ ଦାବି ହେଉଛି ।