Odia News Portal

କଣ କାମ କରୁଛ ପ୍ରତିମାସରେ ରିପୋର୍ଟ ଦିଅ : ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବମାନଙ୍କୁ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ବେହେରା ୫ ‘ଟି’ ଆଧାରରେ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହିତ ପ୍ରତିମାସରେ କାର୍ଯ୍ୟର ଅଗ୍ରଗତି ନେଇ ଏକ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ ନୂଆ କ୍ରୀଡ଼ାନୀତି, ଅନ୍‌ଲାଇନ୍‌ ସେବା, ପିଇଟିଙ୍କୁ ତାଲିମ ଏବଂ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଶିକ୍ଷାଦାନ ନୂଆ ବିଲଡିଂରେ ଆରମ୍ଭ ହୋଇଥିବା ଏବଂ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରରେ କ୍ରୀଡ଼ା ବିଦ୍ୟାଳୟ ହେବାକୁ ଥିବାବେଳେ ଏଥି ମଧ୍ୟରୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବାବେଳେ ରାଉରକେଲାରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକରେ କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ର ସ୍ପୋର୍ଟସ୍‌ ସିଟି ନିର୍ମାଣ, କଳିଙ୍ଗ ସ୍ପୋର୍ଟସ୍‌ ହବ୍‌, ଆଞ୍ଚଳିକ ଏବଂ ଜିଲ୍ଲା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ଏବଂ ସୁନ୍ଦରଗଡ଼ରେ ଆଷ୍ଟ୍ରୋ ଟର୍ଫ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ େୱବ୍‌ ପୋର୍ଟାଲ୍‌ଗୁଡ଼ିକୁ ସୁରକ୍ଷା ଏବଂ ସମାନତା ଦୃଷ୍ଟିକୋଣରୁ ଏହାର ଆଧୁନିକୀକରଣ, ମୋ ସରକାର ଯୋଗାଯୋଗ ସେଣ୍ଟର, ବିଜୁ ଯୁବ ସଶକ୍ତିକରଣ ଯୋଜନାର ଯୁକ୍ତ ୨ରୁ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ୧୫ ହଜାର ଲ୍ୟାପ୍‌ଟପ୍‌ କ୍ରୟ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ ।

ଏଥି ସହିତ ଓକାକ୍‌ଠାରେ ନୂଆ ଡାଟା ସେଣ୍ଟର, ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ଏବଂ ନୂଆ ନିଯୁକ୍ତି ସୁଯୋଗ ପାଇଁ ଆଇଟିସି ପଲିସିରେ ପରିବର୍ତ୍ତନ ଆଦି ୧୮ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା ।