ଭୁବନେଶ୍ୱର : ଚଣ୍ଡାଶୋକ ଏବେ ବୈରାଗୀ ଅବତାରରେ । କ୍ଷମତା କି ପରିବାରରେ ମନ ଲାଗୁନି । ଘରେ ବି ରହୁନାହାନ୍ତି । ମାନସିକ ଶାନ୍ତି ପାଇଁ ସବୁବେଳେ ଖଣ୍ଡଗିରି ଆଶ୍ରମରେ ଡେରା ପକାଉଛନ୍ତି । ବୈରାଗ୍ୟ ଆସିଥିବା ଦର୍ଶାଇ ଆଶ୍ରମରେ ରହିବାକୁ ବିଚାରି ଏବେ ସବୁବେଳେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି । ଏହାକୁ ନେଇ ଚଣ୍ଡାଶୋକଙ୍କ ପରିବାରଙ୍କ ଠାରୁ ସମର୍ଥକଙ୍କ ପର୍ଯ୍ୟନ୍ତ ସମନ୍ତେ ଚିନ୍ତିତ ।
ତେବେ ମହାରାଜା ଅଶୋକ ଯେଭଳି ଦୟାନଦୀ କୂଳରେ ଧର୍ମାଶୋକ ପାଲଟିଥିଲେ ଅନୁରୂପ ଭାବେ ସିଏ
ଖଣ୍ଡଗିରି ପାଦଦେଶରେ ସନ୍ୟାସୀ ହୋଇଯିବେ ବୋଲି ସମସ୍ତଙ୍କୁ ବୁଝାଇବାରେ ଲାଗିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡାଶୋକଙ୍କର ଖଣ୍ଡଗିରି ପାଦଦେଶରେ ଗାୟତ୍ରୀ ମନ୍ତ୍ର ଜପ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଣ୍ଡାଶୋକଙ୍କର ପ୍ରଥମେ ଏଠାକୁ ଆତଯାତ ନଥିଲା । ହେଲେ ଯେବେଠାରୁ ଖଣ୍ଡଗିରି ଆଖପାଖରେ ଜମିଜମା ଖରିଦ କଲେ ସେବେଠାରୁ ଯା ଆସ ଲାଗି ରହିଲା । ଏହାରି ଭିତରେ ତାଙ୍କର ନଜର ପଡିଲା ଆଶ୍ରମ ଉପରେ । ଆଶ୍ରମକୁ ବି ଗଲେ ।
ସେଠାରେ ଗ୍ରାୟତ୍ରୀ ମାୟାରେ ବାୟା ପାଲଟିଲେ । ମନ୍ତ୍ର ଜପିବାକୁ ଯାଉଛନ୍ତି ବୋଲି ଚେଲା ଚାମୁଣ୍ଡାଙ୍କୁ ଆଶ୍ରମ ବାହାରେ ଛାଡିଦେଇ ଗଲେ । ଜପ ତପ ସାରି ଫେରିଲାପରେ ଆଶ୍ରମରେ ଢେର ଶାନ୍ତି ମିଳୁଥିବା କହିଲେ । ପ୍ରଥମେ ପ୍ରଥମେ ଏ ସଂକ୍ରାନ୍ତରେ କେହି ଜାଣିପାରୁ ନଥିଲେ । ହେଲେ ଯେତେବେଳେ ଚଣ୍ଡାଶୋକଙ୍କ ମନ ଆଉ ଘରେ ଲାଗିଲାନାହିଁ ସେତେବେଳେ ସମସ୍ତେ ପତ୍ତା ଲଗାଇଲେ । ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ଜଣାଗଲା ଯେ ଚଣ୍ଡାଶୋକ ଆଉ ଆୟତରେ ନାହାନ୍ତି । ଆଶ୍ରମରେ ତାଙ୍କ ମନ ରହିଗଲାଣି । ସେଠାରେ ଗାୟତ୍ରୀ ମନ୍ତ୍ର ଜପିବାରେ ସବୁବେଳେ ବ୍ୟସ୍ତ ରହୁଛନ୍ତି। ତେଣୁ ଯେତେ ଯାହା କଲେ ବି ଆଉ ସେ ଆଶ୍ରମର ମୋହ ତୁଟାଇ ପାରିଲେ ନାହିଁ । କିଛିଦିନ ତଳେ ରାଜ୍ୟ ବାହାରକୁ ଯିବା ସମୟରେ କୁଆଡେ ଆଶ୍ରମର ଜନୈକ କର୍ମୀଙ୍କୁ ସାଙ୍ଗରେ ନେଇଥିଲେ ।
ସେଠାରେ ବି କୁଆଡେ ଜୋରଦାର ଜପତପ ହୋଇଥିବା
କୁହାଯାଉଛି । ତେବେ ସବୁଠାରୁ ବଡ କଥା ହେଲା ଚଣ୍ଡାଶୋକଙ୍କ ସହିତ ଛାଇ ଭଳି ଲାଗି ରହୁଥିବା ଜଣେ ଯୁବକ କୁଆଡେ ଏହି
ଆଶ୍ରମକୁ ବାଟ ଦେଖାଇଛନ୍ତି । ନିଜକୁ ଚଣ୍ଡାଶୋକଙ୍କ ଚେଲା କହୁଥିବା ଏହି ଯୁବକ ଜଣଙ୍କ ତାଙ୍କୁ ନେଇ ଆଶ୍ରମରେ ଆଶ୍ରିତ
କରାଇଛନ୍ତି । ଗୁରୁ ମନ୍ତ୍ର ଜପି ସାରି ଫେରିଲା ପରେ ତାଙ୍କୁ ଘରେ ଛାଡି ଏହି ଯୁବ ଚେଲା ଜଣଙ୍କ କୁଆଡେ ଆଶ୍ରମରେ ହାଜର
ହେଉଥିବା କୁହାଯାଉଛି । ତେବେ ଘର ଭାଙ୍ଗୁଥିବା ଦେଖି ଚଣ୍ଡାଶୋକଙ୍କର କିଛି ସମ୍ପର୍କୀୟ ଏଥିରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ଟିକେ ଶାନ୍ତ ପଡିଛି ।
ତେବେ ଜମି କିଣିବାକୁ ଆସିଥିବା ଚଣ୍ଡାଶୋକ କାହିଁକି ଆଶ୍ରମ ପ୍ରତି ମନ ବଳାଇଲେ ତାହାକୁ ନେଇ ଏବେ ରାଜଧାନୀରେ
ଜୋରଦାର ଚର୍ଚ୍ଚା । ହେଉଥିବା ଆଲୋଚନା ଅନୁଯାୟୀ ଚଣ୍ଡାଶୋକଙ୍କର ଏଭଳି ଜପ ତପ କରିବାଟା କୁଆଡେ ପୁରୁଣା ଅଭ୍ୟାସ । ଅତୀତରେ ଏଭଳି ଜପ ତପ ନିଜେ କରିବା ସହିତ କିଛି ସହଯୋଗୀଙ୍କୁ ବି ଶିଖାଇଥିଲେ । ହେଲେ ନିଜେ ଏଥିରେ ସଫଳ ହୋଇଥିବାବେଳେ ସହଯୋଗୀମାନେ କିନ୍ତୁ ବେଉଷା ହରାଇ ରାସ୍ତାରେ ବୁଲିଲେ ।
ସେବେଠାରୁ ଚଣ୍ଡାଶୋକ ଆଉ କୌଣସି ସହଯୋଗୀ ରଖୁନଥିବାବେଳେ ଯୁବଚେଲାଙ୍କୁ ସାଙ୍ଗରେ ନେଇ କିନ୍ତୁ ସବୁଧା ମିଳିଳେ ବୈରାଗ୍ୟ ବଦନରେ ଖଣ୍ଡଗିରି ପାଦଦେଶରେ
ଗାୟତ୍ରୀ ମନ୍ତ୍ର ଜପି ମନକୁ ଶାନ୍ତ କରୁଛନ୍ତି ।