ଭୁବନେଶ୍ୱର : ଭାରତରେ ଆସନ୍ତା ବର୍ଷ ନଭେମ୍ବର ମାସ ୨ରୁ ୨୧ତାରିଖ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଅନୁଷ୍ଠିତ ହେବ । ମୁମ୍ବାଇର ପ୍ରସିଦ୍ଧ ଗେଟ୍ ୱେ ଅଫ୍ ଇଣ୍ଡିଆ ଠାରେ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ବର୍ଷକ ପୂର୍ବରୁ ସମଗ୍ର ଭାରତ ବର୍ଷ ତଥା ବିଶ୍ୱ ଫୁଟ୍ବଲପ୍ରେମୀଙ୍କ ଉଦ୍ଦେଶ୍ୟରେ ଏହି ଲୋଗୋ ଉନ୍ମୋଚିତ ହୋଇଛି । ଫିଫା ବିଶ୍ୱକପ୍ ପାଇଁ ଭୁବନେଶ୍ୱର ପ୍ରଥମ ଭେନ୍ୟୁ ମାନ୍ୟତା ପାଇଛି ।
ପ୍ରାକୃତିକ ଏବଂ ଭାରତୀୟ ସଂସ୍କୃତି ଆଧାରରେ ନୀଳ ତରଙ୍ଗ ଠାରୁ ଆରମ୍ଭ କରି ଫୁଲର ସୌନ୍ଦର୍ଯ୍ୟ, ଭାରତୀୟ ଚିତ୍ରକଳା ଏବଂ ବୟନ କଳାରେ ବ୍ୟବହୃତ କାରୁକାର୍ଯ୍ୟକୁ ପ୍ରତିଫଳିତ କରି ଫିଫା ବିଶ୍ୱକପ୍ ଲୋଗୋର ଡିଜାଇନ୍ ପ୍ରସ୍ତୁତି କରାଯାଇଛି। ଏହା ଖେଳାଳି ଓ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ହୋଇଛି ।
ଲୋଗୋ ଉନ୍ମୋଚନ ଅବସରରେ ଫିଫାର ସ୍ଥାନୀୟ ଆୟୋଜକ କମିଟି ସଦସ୍ୟ ଏବଂ ଭାରତ ସରକାରଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ । କ୍ରମାଗତ ଦୁଇ ଥର ଫିଫା ବିଶ୍ୱକପ୍ ବିଜେତା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଧାରୀ ଏବଂ ଫିଫା କିମ୍ବଦନ୍ତୀ କ୍ରିଷ୍ଟାଇନ୍ ଲିଲିଙ୍କ ସମେତ ଭାରତୀୟ ୧୭ବର୍ଷରୁ କମ୍ ମହିଳା ଦଳ ସଦସ୍ୟାମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ମହିଳା ଫୁଟ୍ବଲ ଖେଳାଳିମାନଙ୍କ ସହ ସାମିଲ ହୋଇ ନିଜକୁ ଗର୍ବିତ ମନେ କରୁଛି । ବିଶ୍ୱକପ୍ ଆୟୋଜନ ଦ୍ୱାରା ଖେଳର ଚାହିଦା ବୃଦ୍ଧି ଏବଂ ମହିଳା ସଶକ୍ତିକରଣକୁ ସୁଦୃଢ଼ କରାଯାଇପାରିବ ।
ଫିଫା ପରିଷଦର ସଦସ୍ୟ ତଥା ଏଲଓସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଥିଲେ, ପ୍ରଥମ ମହିଳା ଫିଫା ଟୁର୍ଣ୍ଣାମେଣ୍ଟ ଦେଶରେ ଆୟୋଜନ ହେବା ଦ୍ୱାରା ଭାରତରେ ମହିଳା କ୍ରୀଡ଼ାବିତ୍ମାନଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି ହୋଇଛି ।’ ସେହିପରି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ରୋମା ଖାଁ କହିଥିଲେ, ଏହା ଏକ ମାଇଲଖୁଣ୍ଟ । ଫିଫା ଲୋଗୋ ଫୁଟ୍ବଲପ୍ରେମୀଙ୍କୁ ଆକର୍ଷିତ କରିବ । ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରି ଆମେ ଗର୍ବିତ ଏବଂ ଆୟୋଜକ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ଆମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ।’