Odia News Portal

ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ । ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ବଜେଟ ଅଧିବେଶନ ନେଇ ଏଥିରେ ଆଲୋଚନା ହୋଇଥିଲା । ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ୭ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

ଆଗକୁ ନିର୍ବାଚନ ଥିବାରୁ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିବେ ସରକାର । ବିଶେଷ କରି କାମଚଳା ବଜେଟ୍ ବେଳେ ନୂଆ ଯୋଜନା ଘୋଷଣା ହୁଏନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିନପାରନ୍ତି । ଏଥିରେ କେଉଁ ସବୁ କ୍ଷେତ୍ରକୁ ଫୋକସ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଆସନ୍ତା ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ ।

ବଜେଟ୍‌ ଅଧିବେଶନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ସେପଟେ ବିଧାନସଭାର ବଜେଟ୍‌ ଅଧିବେଶନ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ରାଜ୍ୟ ପୋଲିସ । ପୋଲିସ ଡିଜି ଡ଼ା.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ବିଧାନସଭା ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ସମ୍ବେଦନଶୀଳ ସ୍ଥାନରେ ୨ ୟୁନିଟ୍‌ ଏସ୍‌ଟିୟୁ ଫୋର୍ସ ମୁୟତନ ହେବେ । ଏଥିସହ ସାଧା ପୋଷାକଧାରୀ ପୋଲିସ ବି ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ସେପଟେ ବିଧାନସଭାର ଶେଷ ଅଧିବେଶନ ଥିବାରୁ ବିକ୍ଷୋଭ ସ୍ଥଳକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ବ୍ୟାରିକେଟିଂର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।