Odia News Portal

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପିତୃ ବିୟୋଗ

ଭୁବନେଶ୍ବର : ଆଜି ସମୟ ସକାଳ ୧୧ ଘଟିକା ସମୟରେ, ଓଡ଼ିଶା ପ୍ରଶାସନିକ ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲା ର ଜିଲ୍ଲାପାଳ ସରୋଜ୍ କୁମାର ସାମଲଙ୍କ ୟୁନିଟ୍ ୯ ସ୍ଥିତ ବାସଭବନରେ, ତାଙ୍କର ପିତା ଶ୍ରୀ ଫକୀର ଚରଣ ସାମଲ ଙ୍କ ନିଧନ ଘଟିଛି। ୧୯୩୨ ମସିହା ନଭେମ୍ବର ମାସରେ ଜନ୍ମିତ ଦିବଂଗତ ଶ୍ରୀ ସାମଲଙ୍କ ମୃତ୍ୟୁ ବେଳକୁ , ୮୭ବର୍ଷ ବୟସ ହୋଇଥିଲା । ଏବଂ ସେ ଦୀର୍ଘଦିନ ହେଲା ଅସହ୍ୟ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।

ସ୍ବର୍ଗତ ଶ୍ରୀ ସାମଲ, ସୁଦୂର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅର୍ନ୍ତଗତ କମାଳପୂର୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାଗୁଳେଇ ହାଇସ୍କୁଲ ରେ ଦୀର୍ଘ ୩୬ ବର୍ଷ କାଳ ସେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହି ବିଦ୍ୟାଳୟ ର ପ୍ରତିଷ୍ଠାତା ଭାବରେ ସେ ସର୍ବଜନବିଦିତ।ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ଅନେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ନିକଟରେ ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ଵାରା ଶ୍ରେଷ୍ଠ ଶିକ୍ଷକ ଭାବରେ ସ୍ବର୍ଗତ ଶ୍ରୀ ସାମଲ ସମ୍ବର୍ଦ୍ଧିତ ହୋଇଥିଲେ।

ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁତ୍ର ସରୋଜ ଏବଂ ମନୋଜ, ଦୁଇ ପୁତ୍ରବଧୂ ,ଚାରି କନ୍ୟା ସସ୍ମିତା, ଅସ୍ମିତା,ମଞ୍ଜୁଲତା ଓ ସଂଯୁକ୍ତା ଏବଂ ନାତି ନାତୁଣୀ ତଥା ସମସ୍ତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ର ଅଧୀନରେ କାର୍ଯ୍ୟରତ ଅନେକ ପ୍ରଶାସନିକ ସେବା ଅଧିକାରୀ ତଥା ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ସ୍ବର୍ଗତ ଶ୍ରୀ ସାମଲଙ୍କୁ ଶେଷ ଦର୍ଶନ କରିଥିଲେ।