ଭୁବନେଶ୍ୱର : ନିଜକୁ ମନ୍ତ୍ରୀଙ୍କ ପାଖ ଲୋକର ପରିଚୟ ଦେଇ ବିରୋଧିଦଳର ଗୁଇନ୍ଦା ସାଜିଥିବା ଜଣେ ଆତ୍ମଘୋଷିତ
ଯୁବନେତାଙ୍କୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା । ଏହି ଯୁବକ ଜଣଙ୍କ ଯଦିଓ ବିଜୁ ଜନତାଦଳରେ ଅଛନ୍ତି ବୋଲି କହି ବୁଲୁଛନ୍ତି
ବାସ୍ତବରେ କିନ୍ତୁ ବିରୋଧିଦଳ ପାଇଁ ଗୁଇନ୍ଦାଗିରି କରୁଥିବା ଆଲୋଚନା ହେଉଛି । ରାଜଧାନୀର ରାଜନୀତି ଅଳିନ୍ଦରେ ହେଉଥିବା ଆଲୋଚନା ଅନୁଯାୟୀ ଓଲଡ୍ଟାଉନ ଅଞ୍ଚଳର ଏହି ଆତ୍ମଘୋଷିତ ଯୁବନେତା ଜଣଙ୍କ ପ୍ରଥମେ ବିଜେଡିରେ ଥିଲେ ।
ହେଲେ ପରେ ସ୍ୱାର୍ଥ ହାସଲ ପାଇଁ ବିଜେପିକୁ ଯାଇଥିଲେ । ସେଠାରେ କିଛି ଦିନ ରହିବାପରେ ତାଙ୍କର ପ୍ରକୃତି ଜାଣି ତାଙ୍କୁ ବିଦା କରିଦିଆଗଲା । ଏହାପରେ ଆଉ ଥଳକୂଳ ନପାଇବାରୁ ମନ୍ତ୍ରୀଙ୍କ କାନ୍ଧରେ ଲାଉ ହୋଇ ପୁଣି ବିଜେଡିରେ ମିଶିଲୋ ତେବେ ମନ୍ତ୍ରୀଙ୍କ ସହିତ ଛାଇ ଭଳି ବୁଲୁଥିବା ଏହି ଯୁବକ ଜଣକ ବାସ୍ତବରେ ବିଜେପି ପାଇଁ ଗୁଇନ୍ଦାଗିରି କରୁଥିବା ଆଲୋଚନା ହେଉଛି । ଯୁବକଙ୍କ ଏହି ଗୁଇନ୍ଦାଗିରି ପାଇଁ ସେ ନିଜେ ଯେତେ ଲାଭବାନ୍ ହେଉନାହାନ୍ତି ଢେର ଅଧିକ ଲାଭ ପାଇଛନ୍ତି ମନ୍ତ୍ରୀ
ମହାଶୟ । ଏହି ଯୁବକଙ୍କୁ ଅସ୍ତ୍ର କରି ଗତ ନିର୍ବାଚନ ସମୟରେ ରାଜଧାନୀରେ ଏକାଧିକ ପ୍ଲଟ ପକାଇବା ସହିତ ମନ୍ତ୍ରୀ ଗୋଟିଏ
ପେଟ୍ରୋଲ ପମ୍ପ ହାତେଇ ନେଇଛନ୍ତି ।
ସିଏ ନିଜେ ଖବର ଦେଲେ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଏହି ଯୁବନେତାଙ୍କୁ ମୋହରା କରିଛନ୍ତି । ଯୁବନେତା ଯେହେତୁ ପଦ୍ମ ପୋଖରୀରେ କିଛିଦିନ ପହଁରିଥିଲେ ତେଣୁ ସେପଟ ଯୋଗାଯୋଗ ବି ତାଙ୍କର ବେଶ୍ ଭଲ ଅଛି । ରାଜଧାନୀ ରାଜନୀତି ସହିତ ରାଜ୍ୟ ରାଜନୀତିର କିଛି ଗୁମର କଥା ସିଏ ଚଟାପଟ ସେପଟକୁ ଠେଲି ଦେଉଛନ୍ତି । ଯାହା ଫଳରେ ବିରୋଧିଦଳ ଆଗୁଆ ରଣନୀତିର ସୁରାକ ପାଇ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଅଡୁଆରେ
ପକାଇବାରେ ଲାଗିଛି । ଗତ ସାଧାରଣ ନିର୍ବାଚନ ସମୟରେ ଏଭଳି କିଛି ଗୁପ୍ତ ରଣନୀତିର ସୁରାକ ପାଇବା ଫଳରେ ବିଜେପି ଭୁବନେଶ୍ୱର ଲୋକସଭା ଆସନଟିକୁ ହାତେଇ ନେଇଗଲା ।
ସେତେବେଳେ ବିଜେଡି ନେତା କେଉଁଠାରେ କି ପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ତାହାର ଆଗୁଆ ସୂଚନା ଏହି ଯୁବନେତା ଜଣଙ୍କ ଲିକ୍ କରାଇଲେ । ତେବେ ସବୁଠାରୁ ବଡ ଚର୍ଚ୍ଚା ହେଉଛି ଯେ ଯୁବନେତାଙ୍କ ପଛରେ ରହି ମନ୍ତ୍ରୀ ହିଁ ସବୁକିଛି କରୁଥିଲେ । ତାଙ୍କ ଇଶାରାରେ ସବୁ ନାଟ ଚାଲିଛି । ଗୁଇନ୍ଦା କାରବାର ହେଉ କିମ୍ବା ଜମି କିଣା ବିକା, ସବୁଥିରେ ଏହି ଯୁବକ ହିଁ ମୋହରା । କାଳେ କିଏ ସନ୍ଦେହ କରିବ ତେଣୁ ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଣଙ୍କ ତାଙ୍କୁ ସର୍ବଦା ନିଜ ପାଖରେ ହିଁ ରଖିଥାନ୍ତି । ବିଜେପୁର ଉପନିର୍ବାଚନରେ ହାରିବାପରେ ବିରୋଧିଦଳ ଅତି ପ୍ରତିକ୍ରିୟାଶୀଳ ହୋଇ ସରକାରଙ୍କ ଘନ ଘନ ଆକ୍ରମଣ କରୁଥିବାବେଳେ ଗୁଇନ୍ଦା ସାଜିଥିବା ଏହି ଯୁବ ଓ ତାଙ୍କର ଦିଗ୍ଦର୍ଶକ ଜଣଙ୍କ ଅତି ସକ୍ରିୟ ହୋଇ ଉଠିଛନ୍ତି ।
ସର୍ତକତାର ସହ ଗୋଟି ଚାଳନା କରି ବିରୋଧି ଶିବିରକୁ ଖବର ପଠାଉଥିବା କୁହାଯାଉଛି । ତେଣୁ ଏହି ଗୁଇନ୍ଦା ସାଜିଥିବା ଏହି ଯୁବନେତା ଓ ତାଙ୍କର ଦିଗ୍ଦର୍ଶକ ମନ୍ତ୍ରୀଙ୍କ ଉପରେ ନଜର ରଖିବାପାଇଁ କିଛି ଦଳୀୟ କର୍ମୀ ମତ ଦେଉଛନ୍ତି ।
