Odia News Portal

ଜିଏସ୍‍ଟି ଠକେଇ ଛନ୍ଦିହୋଇଥିବା ସଂସ୍ଥା କୃଷି ଯନ୍ତ୍ରପାତି କିଣା ଦୌଡରେ

ଭୁବନେଶ୍ୱର : ସରକାରଙ୍କୁ ସାଢେ ୩କୋଟି ଟଙ୍କାର ଜିଏସ୍‍ଟି ଚୂନ ଲଗାଇଥିବା ସଂସ୍ଥା ଏବେ ସମଗ୍ର ରାଜ୍ୟ ପାଇଁ କୃଷି
ଯନ୍ତ୍ରପାତି କିଣିବା ଦୌଡରେ । ଜିଏସ୍‍ଟି ଠକିଥିବା ସଂସ୍ଥା ବିରୁଦ୍ଧରେ ତଦନ୍ତ ପାଇଁ ଗତ ଜୁଲାଇ ମାସରୁ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା କିଭଳି ଯନ୍ତ୍ରପାତି କିଣା ଦୌଡରେ ସାମିଲ ହେଲା ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଚାଷୀମାନଙ୍କୁ ସରକାରୀ ଯୋଜନାରେ ମିନି ରାଇସ୍‍ମିଲ୍‍ ସମେତ
ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଉତ୍ତରଓଡିଶାର ଗୋଟିଏ ସଂସ୍ଥା ସାଢେ ୩କୋଟି ଟଙ୍କାର ଅଧିକ ଟଙ୍କାର ଜିଏସ୍‍ଟି
ଠକିଥିବା ସରକାରଙ୍କ ନଜରକୁ ଆସିଥିଲା । ସମ୍ପୃକ୍ତ ସଂସ୍ଥା ଜାଲି କାଗଜପତ୍ରରେ ସାମଗ୍ରୀ କିଣା ବିକା କରି ଏଭଳି ଠକେଇ
କରିଥିବା ଦୃଷ୍ଟିକୁ ଆସିବାପରେ କୃଷି ନିର୍ଦ୍ଦେଶଳୟ ପକ୍ଷରୁ ସମଗ୍ର ରାଜ୍ୟରେ କୃଷି ଯନ୍ତ୍ରପାତି ବିକ୍ରିକରୁଥିବା ସଂସ୍ଥା ଗୁଡିକର ଯାଞ୍ଚ
ପାଇଁ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ । ହେଲେ
ଏହି କମିଟି କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ରିପୋର୍ଟ ଦେଇପାରିନଥିବା ଜଣାଯାଇଛି ।

ତେବେ ଆଚର୍ଯର ବିଷୟ ହେଉଛି ଯେଉଁ ସଂସ୍ଥା ସାଢେ ୩କୋଟି ଟଙ୍କାର ଜିଏସ୍‍ଟି ଚୂନ ଲଗାଇଥିଲା ସେହି ସଂସ୍ଥା
ଏବେ କେନ୍ଦ୍ର ସରକାରଙ୍କ ପୂର୍ବାଞ୍ଚଳ ସବୁଜ ବିପ୍ଳବ ଯୋଜନା (ବିଜିଆରଇଆଇ)ରେ ୩୧୪ ବ୍ଲକ ପାଇଁ କିଣାଯିବାକୁ ଥିବା
କୃଷି ଯନ୍ତ୍ରପାତି ଖରିଦ ଟେଣ୍ଡରରେ ଅଂଶଗ୍ରହଣ କରି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଜିଏସ୍‍ଟି ଭଳି ରାଜସ୍ୱ ଠକେଇରେ ଲିପ୍ତ ସଂସ୍ଥା କିଭଳି ପୁଣିଥରେ ୪କୋଟି ଟଙ୍କାର ଟେଣ୍ଡରରେ ଭାଗ ନେଲା ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି ।
ଉଲ୍ଲେଖନୀୟ ଯେ ଗାଁ ଗହଳର ଚାଷୀମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଯାବିକ କୃଷି ସୁବିଧା ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ବିଙ୍ଗ୍‍ ଗ୍ରିନ୍‍ ରିଭୋଲ୍ୟୁସନ ଇଷ୍ଟର୍ଣ୍ଣ ଇଣ୍ଡିଆ ଯୋଜନାରେ ରାଜ୍ୟରେ ୩କୋଟି ୮୦ ଲକ୍ଷ ଟଙ୍କାର
କୃଷି ଯନ୍ତ୍ରପାତି ଖରିଦ କରାଯିବ ।

ଏହା ମଧ୍ୟରେ ମିନି ରାଇସ୍‍ ମିଲ୍‍, ଧାନ ସଫା ପାଇଁ ବ୍ୟବହୃତ କ୍ଲିନର କମ୍‍ ଗ୍ରେଡର, ପାଦ ଚାଳିତ ଧାନ ଅମଳ ଯବ, ହସ୍ତ ଚାଳିତ ଧାନ ଉଡା ପଙ୍ଖା ଓ ଧାଉ ସିଝା ମେସିନ୍‍ ଆଦି ରହିଛି । ପ୍ରତି ବ୍ଲକକୁ ଗୋଟିଏ କରି ସେଟ୍‍ ଦିଆଯିବ । ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଚିହ୍ନଟ ସହିତ ସେମାନଙ୍କୁ ଏହା ଯୋଗାଇଦେବେ । ସ୍ଥାନୀୟ ଲୋକେ ଏହି ଗୋଷ୍ଠି ଠାରୁ ଯବପାତି ଗୁଡିକ ନେଇ ଧାନ ଅମଳ ଆଦି କାମରେ ଲଗାଇବେ ।
ଏହାଦ୍ୱାରା ରାଜ୍ୟରେ ଯାବିକ କୃଷିର ବିକାଶ ସହିତ ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକ ମଧ୍ୟ ସ୍ୱାବଲମ୍ବି ହୋଇପାରିବେ

ତେବେ ସରକାରଙ୍କ ସ୍ୱଚ୍ଛ ଉପାୟରେ ଯବପାତି ଖରିଦ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଚଳାଇଥିବାବେଳେ ହଠାତ୍‍ ଏହିତାଲିକାରେ ଜିଏସ୍‍ଟି ମାମଲାରେ ଛନ୍ଦି ହୋଇପଡିଥିବା ସଂସ୍ଥାକୁ ଦେଖି ଖୋଦ୍‍ କୃଷି ବିଭାଗରେ ଆଲୋଚନା ଆରମ୍ଭ ହୋଇଯାଇଛି । ଉଲ୍ଲେଖନୀୟ ଯେ ଅଗଷ୍ଟ ମାସ ୩୦ ତାରିଖରେ ଏହି କୃଷି ଯବପାତି ଖରିଦ ପାଇଁ ବାହାରିଥିବା ଟେଣ୍ଡର ପ୍ରକ୍ରିୟାର ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିବା ୪ଟି ସଂସ୍ଥା ମଧ୍ୟରୁ ଗୋଟିଏ ରାଜ୍ୟ ବାହାରର ଥିବାବେଳେ ଅନ୍ୟ ତିନିଟି ଓଡିଶାର ରହିଥିବା
ଜଣାଯାଇଛି ।