Odia News Portal

ଓଡ଼ିଶାର ଘରେ ଘରେ ଭାଇରାଲ ନବୀନଙ୍କ ନାରା ! ଆସନ୍ତୁ ଜାଣିବା  

ଭୁବନେଶ୍ବର  : ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି ନବୀନଙ୍କ ନାରା- ଆପଣ ମାନେ ଖୁସି ତ । ରାସ୍ତାଘାଟରେ ମଧ୍ୟ ଏହି ନାରା ଯୁବକ ଯୁବତୀ ମାନେ ଦୋହରାଉଥିବାର ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଏଭଳି ମନ୍ତବ୍ୟ ରଖିଥିଲେ । ଏହାପରେ ହକି ବିଶ୍ୱକପ୍ ଓ ଏବେ ନବୀନ ସବୁ କାର୍ଯ୍ୟକ୍ରମରେ ଜନତାଙ୍କୁ ସେମାନେ ‘ଖୁସି ତ’ ବୋଲି ପ୍ରଶ୍ନ କରୁଛନ୍ତି । ଏବଂ ନିଜେ କହୁଛନ୍ତି, ସେ ବି ଖୁସି ଅଛନ୍ତି । ଯେକୌଣସି ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ନବୀନ ଯେତେବେଳେ ଆପଣ ମାନେ ଖୁସି ତ ବୋଲି ପ୍ରଶ୍ନ କରୁଛନ୍ତି ସେତେବେଳେ ଉପସ୍ଥିତ ଜନତା ମଧ୍ୟ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ନବୀନ ସନ୍ଦେଶ ଦେଉଛନ୍ତି ଯେ, ସାଧାରଣ ଜନତାଙ୍କ ଖୁସିରେ ସେ ମଧ୍ୟ ଖୁସି । ନବୀନଙ୍କ ଏହି ଡାଇଲଗ୍ ଏବେ ଚାରିଆଡେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । କିନ୍ତୁ ବିରେଧୀଙ୍କ କହିବା କଥା ହେଉଛି ଓଡିଶାବାସୀ ପ୍ରକୃତରେ ଖୁସି ନାହାନ୍ତି, କେବଳ ଖୁସୀର ଏକ ଭ୍ରମ ସୃଷ୍ଟି କରାଯାଉଛି । ନବୀନଙ୍କ ଏହି ଦୁଇ ପଦ ବିରୋଧୀଙ୍କ ଲମ୍ବା ଭାଷଣକୁ ମାତ୍ ଦେବାକୁ ଯଥେଷ୍ଟ । ଆଉ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖୁସିର ବାତାବରଣ ତିଆରି କରି ନବୀନ ନୂଆ ଟ୍ରେଣ୍ଡ ତିଆରି କରିଥିବା ଦାବି କରିଛି ବିଜେଡି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ନବୀନଙ୍କ ଏହି ନାରା ଲୋକପ୍ରିୟ ହେବା ପରେ, ଏବେ ସବୁ ସମାରୋହରେ ଶୁଣିବାକୁ ମିଳୁଛି ।