Odia News Portal

ଟେନସନ୍ ଦେଉଛି ସୀମା ବିବାଦ

ଭୁବନେଶ୍ୱର : ମୁଣ୍ଡବିନ୍ଧାର କାରଣ ପାଲଟିଛି ସୀମା ବିବାଦ । ଥାନା ମଧ୍ୟରେ ଥିବା ସୀମା ବିବାଦ କାରଣରୁ କେଉଁଠି ଶବ ବ୍ୟବଚ୍ଛେଦ ନ ହୋଇ ପଡିରହୁଛି । ଆଉ କେଉଁଠି ଅପରାଧୀ ମଧ୍ୟ ଖସି ବୁଲୁଛି । ଆଉ ଯଦି ସୀମା ଉପରେ କାହାର ଘର ତେବେ କଥା ସରିଲା । ଚପଲ ଛିଡିଯିବ ସିନା ଏତଲା ହୋଇପାରିବନାହିଁ । ଏହିଭଳି କିଛି ଜଟିଳ ସମସ୍ୟା ଦେଇ ଗତି କରୁଛି କମିଶନରେଟ୍ ପୋଲିସ । ଯାହାକୁ ନେଇ ଅନେକ ସମୟରେ ଉଦ୍ବେଗ ପ୍ରକାଶ ପାଇଛି । ପାଣିରେ ପଡ଼ିଲେ ବାଲିଅନ୍ତା ଥାନା, ବାଲିରେ ପଡ଼ିଲେ ସହିଦ ନଗର, ଆଉ ଯଦି ସେହିଠାରୁ ପାଣିରେ ଭସିଗଲା ତେବେ ମଞ୍ଚେଶ୍ୱର ।
ଟଙ୍କପାଣି ରୋଡ୍ ବାଇପାସ୍ ରୋଡ୍ରେ ଦୁର୍ଘଟଣା ଘଟିଲା ବଡ଼ଗଡ଼ ଥାନା ଅଧିନରେ, ଆଉ ଛିଟିକି ପଡ଼ିଲେ ଥାନା ସହିଦନଗର । ଏଭଳି କିଛି ଗୋଳମାଳିଆ ପରିସ୍ଥିତି ଯୋଗୁଁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ସବୁଠାରୁ ବେଶୀ ମୁଣ୍ଡବିନ୍ଧା ପାଲଟିଛି ଥାନା ସୀମା ନିର୍ଦ୍ଧାରଣ । ବଡ଼ଗଡ଼ ଥାନାଠାରୁ ୩ କିମି. ଦୂରରେ ଟଙ୍କପାଣି ସାଇ ମନ୍ଦିର, କେଶୁରା ଓ ବାଙ୍କୁଆଳ । କିନ୍ତୁ ଏହା ଆସୁଛି ସହିଦ ନଗର ଥାନା ଅଧିନରେ । ପଳାଶୁଣି ଛକରେ ଥିବା ଚଣ୍ଡିମାତା କଲୋନୀ ମଞ୍ଚେଶ୍ୱର ଥାନା ସମ୍ମୁଖରେ, କିନ୍ତୁ ଏହା ସହିଦ ନଗର ଥାନା ଅଧୀନରେ । ଲକ୍ଷ୍ମୀସାଗର ଥାନାଠୁ କିଛି ମିଟର ଦୂରରେ ଜନଗନ୍ନାଥ ନଗର । ଏହା ଆସୁଛି ମଞ୍ଚେଶ୍ୱର ଥାନାରେ । ସେହିପରି ବଡଗଡ ଥାନାଠୁ କିଛି ହାତ ଦୂରରେ ବଡଗଡ ହାଟ, ଏହା କିନ୍ତୁ ଯାଉଛି ଲକ୍ଷ୍ମୀସାଗର ଥ।।ନା ଅଧିନରେ ।
ସେହିପରି  ସରକନ୍ତରା, ବାହାବଲପୁରର ଦୂରତା ଏୟାରଫିଲ୍ଡ ଥାନାଠାରୁ ମାତ୍ର ୨ କି.ମି. ଦୂରରେ, କିନ୍ତୁ ଏହା ଖଣ୍ଡଗିରି ଥାନା ଅଧିନରେ ଆସୁଛି । ଏହିଭଳି କିଛି ଗୋଳମାଳିଆ ଭୌଗଳିକ ଅବସ୍ଥିତି ବିଭିନ୍ନ କେସ୍କୁ ଅଧିକ ଜଟିଳ କରିଦେଇଥିବା ବାରମ୍ବାର ଅଭିଯୋଗ ଆସୁଛି । ଗତ ସେପ୍ଟେମ୍ବର ୨୨ ତାରିଖରେ କୁଆଖାଇ ନଦୀରେ ପଡିଥିବା  ଗଣେଶ ଗାଗରାଇଙ୍କ ମୃତଦେହକୁ ନେଇ ସହିଦନଗର ଓ ବାଲିଅନ୍ତା ଥାନା ମଧ୍ୟରେ ଟଣାଓଟରା ଏବେ ଯାଏଁ ଲାଗିରହିଛି । ସରକନ୍ତରା ଓ ଏୟାରଫିଲ୍ଡ ଥାନା ସୀମାରେ ଗତ କିଛି ଦିନ ତଳେ ଘଟିଥିବା ବାଉଁସର ହତ୍ୟା ମାମଲା ମଧ୍ୟ ଏହି ବିବାଦ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲା । ଶବ ବ୍ୟବଚ୍ଛେଦ ହେବାକୁ ୨ ଦିନ ଲାଗିଯାଇଥିଲା । ସେହିଭଳି ପୁରୀ ବାଇପାସ୍ ରୋଡ୍ରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣା ମଧ୍ୟ ସୀମା ବିବାଦକୁ ନେଇ ବେଶ୍ ଅଡୁଆ ହୋଇଥିଲା । ଆଉ ଯଦି ହତ୍ୟା କରି କୌଣସି ରେଲୱେ ଓଭରବ୍ରିଜ୍ ତଳକୁ ଫିଙ୍ଗି ଦିଆଗଲା ତେବେ କଥା ସରିଲା ।
ସ୍ଥାନୀୟ ଥାନା ଓ ଜିଆରପି ମଧ୍ୟରେ କଳି ହୋଇ ଶେଷରେ ଅପମୃତ୍ୟୁ ମାମଲା ରୁଜୁ ମଧ୍ୟ ବେଶ୍ କଷ୍ଟକର ହୋଇପଡିବ । କେବଳ ହତ୍ୟା, ଆତ୍ମହତ୍ୟା ନୁହେଁ, ସାଧାରଣତଃ ପାସ୍ପୋର୍ଟ ଟିଏ କରିବା ପାଇଁ ମଧ୍ୟ ଅଧିକାଂଶ ସମୟରେ ଏହି ସୀମା ବିବାଦ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ଏ ନେଇ ସମାଧାନର ସୂତ୍ର ବାହାରି ପାରୁନାହିଁ । କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀମାନେ ଟ୍ରାଫିକ୍ ନିୟନ୍ତ୍ରଣରେ ଅଧିକ ସମୟ କାଟୁଥିବା ବେଳେ ଅପରାଧ, ଆଇନଶୃଙ୍ଖଳା ଓ ଏଭଳି କିଛି ସଙ୍ଗୀନ ସମସ୍ୟା ସଂପର୍କରେ ଅଧିକ ଦୃଷ୍ଟି ଦେଲେ ସହରଟି ଅପରାଧମୁକ୍ତ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ମତବ୍ୟକ୍ତ କରିଛନ୍ତି ।