Odia News Portal

ସଡକ ଦୁର୍ଘଟଣାରେ ଗୀତା ମାଲୀଙ୍କର ମୃତ୍ୟୁ

ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗର ଗୀତା ମାଲୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଗୀତା ନିଜ ଘର ନାସିକ୍‌କୁ ଫେରୁଥିବା ସମୟରେ ଦୁର୍ଘଟଣାଟି ମୁମ୍ବାଇ ହାଇେଓ୍ଵରେ ହୋଇଛି। ଗୀତାଙ୍କ ସହ ତାଙ୍କ ପତି ବିଜୟ ମାଲୀ ମଧ୍ୟ ରହିଥିଲେ। ଦୁର୍ଘଟଣାରେ ବିଜୟଙ୍କୁ ଗଭୀର ଆଘାତ ଲାଗିଛି। ସୂଚନା ମୁତାବକ ଦୁଇ ଜଣଙ୍କୁ ରୁରଲ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ହସ୍ପିଟାଲରେ ହିଁ ଗୀତାଙ୍କର ମୃତ୍ୟୁ ହୋଇଯାଇଥିଲା।

ରିପୋର୍ଟ ଅନୁଯାୟୀ ଗୀତା ଆମେରିକାରୁ ପୋଗ୍ରାମ ସାରି ଗତ ଗୁରୁବାର ଦିନ ଘରକୁ ଫେରୁଥିବା ସମୟରେ ସେ ଯାଉଥିବା କାର୍ ଟି ରାସ୍ତାରେ ଥିବା କଣ୍ଟେନର ସହ ଧକ୍କା ହୋଇଯାଇଥିଲା। ଆମେରିକାରୁ ମୁମ୍ବାଇ ପହଞ୍ଚିବା ପରେ ଗୀତା ନିଜର ଫେସବୁକ୍ ପେଜ୍‌ରେ ମଧ୍ୟ ଏୟାରପୋର୍ଟର ସେଲ୍ଫି ଫଟୋ ମଧ୍ୟ ସେୟାର କରିଥିଲେ। ଫଟୋ ପୋଷ୍ଟ କରିବା ସହ ଗୀତା ଲେଖିଥିଲେ ‘ମୁଁ ଘରକୁ ଫେରି ବହୁତ ଖୁସି ଅଛି’। ସୂଚନା ଅନୁଯାୟୀ ଗୀତା ଗତ ଦୁଇ ମାସ ହେବ ଆମେରିକାରେ ଥିଲେ।

ଗୀତା ମାଲୀଙ୍କର ନିଜର ମ୍ୟୁଜିକାଲ ବ୍ୟାଣ୍ଡ ରହିଛି, ଯାହାର ନା ଗୀତା ଗଙ୍ଗା ମ୍ୟୁଜିକାଲ୍ ବ୍ୟାଣ୍ଡ। ଗୀତା ମୁମ୍ବାଇ ୟୁନିଭରସିଟିରୁ ଇଣ୍ଡିଆନ କ୍ଲାସିକାଲ ମ୍ୟୁଜିକ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଗୀତା ନାସିକ୍ ର ଜଣେ ଉଦୀୟମାନ ପ୍ରତିଭା ଥିଲେ। ସୂଚନା ମୁତାବକ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଫିଲ୍ମ ଫେଷ୍ଟିଭାଲରେ ହିଁ ଗୀତାଙ୍କର ଶେଷ ପ୍ରୋଗ୍ରାମ ଥିଲା।