Odia News Portal

ପଦୋନ୍ନତି ପାଇଲେ ଲୋକସେବା ଭବନର ୧୯୯ ସେକ୍ସନ ଅଫିସର

ଭୁବନେଶ୍ୱର : ଦୀର୍ଘ ୨୨ଦିନର ଲଢେଇ ପରେ ଆଜି ସଚିବାଳୟ ସେବା କ୍ୟାଡରର ୧୯୯ ଜଣ ସେକ୍ସନ ଅଫିସର
ପଦୋନ୍ନତି ପାଇଁ ଡେସ୍କ ଅଫିସର ହୋଇଛନ୍ତି । ସେଥି ମଧ୍ୟରୁ ୨୩ଜଣ ତଫସିଲଭୁକ୍ତ ଜାତି, ୧୩୯ଜଣ ସାଧାରଣ ବର୍ଗ,
୩୭ ଜଣ ତଫସଲି ଭୁକ୍ତ ଜନଜାତିର ଅଧିକାରୀ ଏହି ପଦୋନ୍ନତି ପାଇଛନ୍ତି । ଅଳ୍ପ କେତେଜଣଙ୍କର ବଦଳି ହୋଇଥିବାବେଳେ
ଅଧିକାଂଶ ଅଫିସରଙ୍କୁ ତାଙ୍କ ନିଜ ବିଭାଗରେ ନିଯୁକ୍ତି ଦିଆଯାଇଛି । ଏହି ପଦୋନ୍ନତି ପାଇଁ ଗତମାସ ୨୫ ତାରିଖରେ ବିଭାଗୀୟ ପଦୋନ୍ନତି କମିଟିର ବୈଠକ ବସିଥିଲା । କିନ୍ତୁ
ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ କିଭଳି ଲାଗୁ ହେବ ତାହାକୁ ନେଇ ବିବାଦ ଦେଖାଦେବାରୁ ବିଭିନ୍ନ ବର୍ଗର
କର୍ମଚାରୀମାନେ ଗୃହ ରାଷ୍ଟ୍ରମବୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ଅସିତ ତ୍ରିପାଠୀ, ଗୃହ ସଚିବ
ସଞ୍ଜିବ ଚୋପଡା, ଆଇନ୍‍ ସଚିବ ଆଦିଙ୍କ ନିକଟକୁ ଯାଇ ନିଜ ନିଜ ପକ୍ଷ ରଖିଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ପରମର୍ଶକ୍ରମେ ନଥିକୁ ବିଧି ବିଭାଗର ମତାମତ ପାଇଁ ପଠାଯାଇଥିଲା । ବିଧି ବିଭାଗ ପ୍ରଚଳିତ ଧାରା, ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କ ବିଭିନ୍ନ ରାୟକୁ ଆଧାରକରି ତାଙ୍କର ମତ ଦେଇଥିଲେ । ଏହି ମତକୁ ନେଇ ମଧ୍ୟ ପଦୋନ୍ନତି କମିଟିର
ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା । ଏହା ଭିତରେ କମିଟିର ସଦସ୍ୟମାନେ ଚାରି ଚାରି ଥର ବୈଠକରେ
ଉପନୀତ ହୋଇଥିଲେ ମଧ୍ୟ ନିର୍ଯ୍ୟାସ ବାହାରିପାରିନଥିଲା । ଶେଷରେ ମୁଖ୍ୟମବୀଙ୍କ ଦପ୍ତର ଏଥିରେ ହସ୍ତକ୍ଷେପ କରିବା
ସହିତ ପଦୋନ୍ନତି କ୍ଷେତ୍ରରେ ସୁପ୍ରିମ୍‍କୋର୍ଟଙ୍କ ରାୟ ଓ ବିଧି ବିଭାଗର ମତକୁ ଆଧାର କରି ପଦୋନ୍ନତି ନଥିରେ ମୋହର
ମାରିଛନ୍ତି । ତେବେ ବାରମ୍ବାର ଏଭଳି ସମସ୍ୟା ଉପୁଜୁଥିବାରୁ ଏଥିପାଇଁ ସରକାର ଏକ ଏକକ ନିୟମାବଳୀ ପ୍ରସ୍ତୁତ
କରିବାକୁ ମତ ପ୍ରକାଶ ପାଇଛି ।
ପଦୋନ୍ନତି ପାଇଥିବା କର୍ମଚାରୀମାନଙ୍କ ମତରେ ଏବେ ଯେଉଁ ପଦୋନ୍ନତି ହେଲା ତାହା ୨୦୧୦ ମସିହାର ସରକାରଙ୍କ ନିଷ୍ପତ୍ତି ଆଧାରରେ ହୋଇଛି ଏବଂ ଏଥିରେ ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କର ବିଭିନ୍ନ ମାମଲାରେ ଦେଇଥିବା ରାୟ ବଳବତ୍ତର ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ତଫସିଲଭୁକ୍ତ ଜାତିର ଅଧିକାରୀମାନେ ପଦକ୍ରମ ତାଲିକାରେ ବରିଷ୍ଠତାକୁ ନେଇ ଅଣସଂରକ୍ଷିତ ପଦବୀ ବିପକ୍ଷରେ ପଦୋନ୍ନତି ପାଇଁ ଯେଉଁ ଦାବି କରିଥିଲେ ତାହାକୁ ସରକାର ଗ୍ରହଣ କରିନାହାନ୍ତି ।
ତେବେ ୧୯୮୪-୮୫ ବର୍ଷରେ ଚୟନ ହୋଇ ସଚିବାଳୟରେ ଯୋଗ ଦେଇଥିବା ତଫସିଲଭୁକ୍ତ ଜାତିର କେତେକ ବରିଷ୍ଠ ଅଧିକାରୀ ତଫସିଲଭୁକ୍ତ ଜାତି ପାଇଁ ଉଦ୍ଦିଷ୍ଟ ସ୍ଲଟ୍‍ରେ ଆବଶ୍ୟକ ପଦବୀ ଅଭାବରୁ ଏହି ପଦୋନ୍ନତି ପାଇପାରି ନାହାନ୍ତି ।
ଅପର ପକ୍ଷରେ ପରବର୍ତ୍ତୀ ବ୍ୟାଚ୍‍ରେ ଚୟନ ହୋଇଥିବା ସାଧାରଣବର୍ଗର ପ୍ରାର୍ଥୀମାନେ ପଦୋନ୍ନତି ପାଇଛନ୍ତି । ଫଳରେ ବରିଷ୍ଠ ତଫସିଲଭୁକ୍ତ ଜାତି ବର୍ଗର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏମାନଙ୍କର ବରିଷ୍ଠତା ଓ ଅଭିଜ୍ଞତାକୁ ବିଚାରକୁ ନେଇ ଏମାନଙ୍କୁ ପଦୋନ୍ନତି ଦେବାର ଆବଶ୍ୟକତା ରହିଛି ବୋଲି ସମସ୍ତ ବର୍ଗର କର୍ମଚାରୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ଏହି କର୍ମଚାରୀ ଯେଭଳି ପଦୋନ୍ନତି ପାଇବେ ସେଥିପାଇଁ ପଥ ସୁଗମ କରିବାକୁ ସଂଘର ସାଧାରଣ ସମ୍ପାଦକ ଓ ସଭାପତି ସରକାରଙ୍କ ନିକଟରେ ପ୍ରସ୍ତାବ ଦେବାପାଇଁ କର୍ମଚାରୀମାନେ ଦାବି କରିଛନ୍ତି ।