ଭୁବନେଶ୍ୱର : ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗେଷ୍ଟହାଉସ୍ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କଟକ ଜିଲ୍ଲା ଗୋବିନ୍ଦପୁରର ବାବୁଲି ସାହୁ (୨୭)। ବାବୁଲି ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଥିବା ସମଷ୍ଟି ଗେଷ୍ଟହାଉସ୍ର କର୍ମଚାରୀ । ପୁଲିସ ଆଜି ବାବୁଲିଙ୍କୁ କୋର୍ଟଚାଲାଣ କରିଛି ।
ପୁଲିସ ସୂଚନା ମୁତାବକ, ବାବୁଲି ମଇଳାଟାଙ୍କି ସାଲିଆ ସାହିରେ ରହୁଥିଲେ । ପୁରୀ ବ୍ରହ୍ମଗିରି ଅଞ୍ଚଳର ପିଙ୍କି(ଛଦ୍ମନାମ)ଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କୁ ଭୁବନେଶ୍ୱର ଡକାଇଥିଲେ । ବରମୁଣ୍ଡାରେ ଥିବା ସମଷ୍ଟି ଗେଷ୍ଟହାଉସ୍ରେ ତାଙ୍କୁ ରଖି ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ଭୟରେ ପିଙ୍କି କାହାକୁ କିଛି ନ କହି ଗାଁକୁ ପଳାଇଥିଲେ। ସେପଟେ ସେକ୍ସ ର୍ୟାକେଟ ଚାଲିଥିବା ସନ୍ଦେହରେ ପୁଲିସ ଅଗଷ୍ଟ ମାସରେ ଉକ୍ତ ଗେଷ୍ଟହାଉସ୍ରେ ଚଢ଼ଉ କରିଥିଲା । ସେଠାରୁ ଗେଷ୍ଟହାଉସ୍ ମାଲିକଙ୍କ ସହ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା । ଗେଷ୍ଟ ହାଉସରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା । ହେଲେ ଚଢ଼ଉ ବେଳେ ବାବୁଲି ଖସି ପଳାଇଥିଲା ।
ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପିଙ୍କି ଖଣ୍ଡଗିରି ଥାନାରେ ବାବୁଲି ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ସେବେଠୁ ପୁଲିସ ବାବୁଲିକୁ ଖୋଜୁଥିଲା । ଗତକାଲି ବାବୁଲିଙ୍କୁ ସାଲିଆସାହି ବସ୍ତିରୁ ଗିରଫ କରିଥିଲା ପୁଲିସ । ପୁଲିସ ଜାଣିବାକୁ ପାଇଛି, ଗେଷ୍ଟ ହାଉସ୍ ମାଲିକଙ୍କ ଘନିଷ୍ଠ ସହଯୋଗୀ ଥିଲା ବାବୁଲି । ସେକ୍ସ ର୍ୟାକେଟ୍ ଚଳାଇବାରେ ସହଯୋଗ କରୁଥିଲା ।
