Odia News Portal

ସଞ୍ଜୟଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାର

ଭୁବନେଶ୍ୱର : କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁ ଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାରରେ ସମ୍ମାନିତ କରାଯାଇଛି.  ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୁରସ୍କାର ପ୍ରଦାନ କରିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ  ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶ୍ରୀ  ଉପେନ୍ଦ୍ର ରାୟ, ସମାଜ ର ପ୍ରକାଶକ  ଶ୍ରୀ  ନିରଞ୍ଜନ ରଥ, ବୋର୍ଡ ର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।   ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ର ପୁରାତନ ଛାତ୍ର ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବା  ସଞ୍ଜୟ ଗତ 15 ବର୍ଷ ମଧ୍ୟରେ ଓଡ଼ିଶାର ଲୋକ ସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ ବହୁ ଯୋଗଦାନ କରିଛନ୍ତି । ବର୍ତ୍ତମାନ ସେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ)ର କର୍ପୋରେଟ କମ୍ୟୁନିକେସନ ବିଭାଗ ସହ ସାଧାରଣ ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି ।

 

ଏହା ବ୍ୟତୀତ ସାମ୍ବାଦିକତା ଓ ଗଣମାଧ୍ୟମ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ  ସଞ୍ଜୟ ସଂଶ୍ଳିଷ୍ଠ ଅଛନ୍ତି । ସାମ୍ବାଦିକତା ମାନଙ୍କ ନିମନ୍ତେ କୋର୍ସ ମ୍ୟାଟେରିଆଲ ସହିତ ପ୍ରତିଷ୍ଠିତ ପତ୍ରିକାରେ ସେ ଗବେଷଣାତ୍ମକ  ନିବନ୍ଧ ଲେଖିଛନ୍ତି । ପବ୍ଲିକ ରିଲେସନ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ)ର ଭୁବନେଶ୍ୱର ଚାପ୍ଟରକୁ ପୁନଃପ୍ରତିଷ୍ଠା  କରିବାରେ ସେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ପିଆରଏସଆଇ ଭୁବନେଶ୍ୱରର ସମ୍ପାଦକ ଅଛନ୍ତି । ଏହା ସହ ସେ ଆଇଆଇଏମସି ଆଲୁମିନୀ ଆସୋସିଏସନ ଓଡିଶା ଶାଖାର ସଭାପତି ମଧ୍ୟ ଅଛନ୍ତି । ଓଡ଼ିଶାର ଲୋକ ସମ୍ପର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ବହୁ ସଂସ୍ଥା ଦ୍ୱାରା ସମ୍ମାନୀତ ହୋଇଛନ୍ତି ।