ଭୁବନେଶ୍ୱର : ରାସ୍ତାରେ ରୁଣ୍ଡ ହେଲେ ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ଜନସାଧାରଣ । ଚାଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ । ଲୋକଙ୍କ ମନରେ ନାହିଁ ନଥିବା ଆନନ୍ଦ ଉଲ୍ଲସ ଦେଖାଯାଉଥିଲା । ବିଭିନ୍ନ ସଂଗଠନ ଠାରୁ ଆରମ୍ଭ କରି ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ । ଆଜି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ଡ଼ମଣା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପଥ ଉତ୍ସବ ଭଳି ଆରମ୍ଭ ହୋଇଛି ଷ୍ଟ୍ରିଟ୍ ମଜା । ଏହାକୁ ଉତର ବିଧାୟକ ସୁଶାନ୍ତ ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।
ଷ୍ଟ୍ରିଟ୍ ମଜା କମିଟିର ଆବାହକ ମଧୁମାଧବ ଜେନା କହିଲେ ଯେ, ବରିଷ୍ଠ ନାଗରିକମାନଙ୍କ ମନରେ ଖୁସି ଆଣିବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯିବା ସହ ଭାଇଚାରାର ସମ୍ପର୍କ ସୃଷ୍ଟି କରିବା ପାଇଁ ଏହା ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଏଲପି ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ, ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଯୋଗ, ଧ୍ୟାନ, ପଟିଆ କବାଡ଼ି ଟିମ୍ ପକ୍ଷରୁ କବାଡ଼ି ଖେଳ, ସୁରକ୍ଷା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତାର ବାର୍ତା ଏବଂ ଏନୱାଇସିଏ ପକ୍ଷରୁ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ କମିଟିର ସମ୍ପାଦକ ବିଜୟ ପାତ୍ର, ଆଇନ୍ଜୀବୀ ସମରେନ୍ଦ୍ର ସାହୁ, ଇଂ. ଦିଲ୍ଲୀପ କୁମାର ସାହୁ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମନୋଜ ସାହୁ, ସମାଜସେବୀ ମିହିର ରାଉତ, ଶିକ୍ଷାବିତ୍ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରସନ୍ନ ପାଣି ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଶୈଳଶ୍ରୀ ବିହାରର ସଂକଳ୍ପ ବରିଷ୍ଠ ନାଗରିକ ସଂଘ, ଶିରିଡ଼ି ସାଇ ସନ୍ଥ ଆଶ୍ରମ ଓ ଜରାନିବାସର ସଭ୍ୟ ଓ ଅନ୍ୟାନ୍ୟା ସଂଗଠନ ଯୋଗଦାନ କରିଥିଲେ ।
ଆମ୍ରି ହସ୍ପିଟାଲ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲାବେଳେ ରବୀନ୍ଦ୍ର ମେଡ଼ିକାଲ ତରଫରୁ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା ।
