Odia News Portal

୨୦୦ କୋଟିର ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବୀରେ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଆଜି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା, କର୍ମୀ ଏକ ଶୋଭାଯାତ୍ରାରେ ଦିବା
୧୧ ଘଟିକା ସମୟରେ ବାହାରି ମାଷ୍ଟରକ୍ୟାଂଟିନ ଛକ, ରାଜମହଲ ଦେଇ ଶିଶୁଭବନ ଛକରେ ପଂହଚିବା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
ପ୍ରକାଶ ଥାଉକି ଉଭୟ ଆଳି ଓ ରାଜକନିକା ପଂଚାୟତ ସମିତିରେ୨୦୦୦ ମସିହାରୁ ଏଯାବତ ପ୍ରାୟ ୨୦୦ କୋଟି ଟଙ୍କାର ଦୁର୍ନୀତି ଶାସକ ଦଳ ବିଜେଡ଼ିର ପ୍ରାକ୍ତନ ମନ୍ତ୍ରୀ ବର୍ତମାନ ବିଧାୟକ ପ୍ରତାପ ଦେବଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ହୋଅଛି । ଅନ୍ୟୁନ ୯୦% ଦୁର୍ନୀତି ପଂଚାୟତ ରାଜ ବିଭାଗରେ ହୋଇଥିବା ବେଳେ ବାକି ୧୦% ଅନ୍ୟାନ୍ୟ ବିଭାଗରୁ ହୋଇଛି । ବିଧାନସଭା ଭିତରେ ଓ ବାହାରେ ବହୁବାର ଅଭିଯୋଗ କରିଥିଲେ ବି ଏଯାବତ ଦୁର୍ନୀତିର ତଦନ୍ତ ହୋଇନଥିବା ବେଳେ ଆଜି ପ୍ରାୟ ୫୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ସହ ଉଚିତ ପଦକ୍ଷେପ ନେବା ନିମନ୍ତେ ଏକ ର‌୍ୟାଲି ମାଧ୍ୟମରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା ।
ଉକ୍ତ ସମୟରେ ପ୍ରତ୍ୟେକ ରାଜନୈତିକ ଦଳର ସକ୍ରିୟ ନେତା ଓ କୁଜି ନେତାଙ୍କର ସମ୍ପତି ଜାଂଚ କରାଗଲେ ପ୍ରକୃତ
ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରାକ୍ତନ ବିଧାୟକ ଶର୍ମା ମତବ୍ୟକ୍ତ କରିଥିଲେ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ର‌୍ୟାଲିରେ ଯାଇ କର୍ମୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ୫ଟି ର ନାମ କେତେ ପ୍ରଯୁଜ୍ୟ ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇଥିଲା ।
ସର୍ବଶ୍ରୀ ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ଅଜୟ ଦାସ, ରବିନ୍ଦ୍ର ଆଚାର୍ଯ୍ୟ, ଚିନ୍ମୟ ପ୍ରକାଶ ବେହୁରା, ଜ୍ଞାନଦେବ ବେହୁରା, ଦୀପକ ମହାପାତ୍ର, ସତ୍ୟରଞ୍ଜନ ସାମଲ, ପର୍ଶୁରାମ ରାଉତରାୟ, ବିଦ୍ୟାଧର ବରାଳ, ଶରତ ରାଉତ, କୈଳାସ ଚନ୍ଦ୍ର ତରାଇ, ହବେଶ ପଲେଇ, ଦର୍ପନାରାୟଣ ସାହୁ, ମାନଗୋବିନ୍ଦ ଦାସ, ନକଳ ଚରଣ ପରିଡ଼ା, ପ୍ରଶାନ୍ତ ସେଠୀ, ରାଜମୋହନ ସ୍ୱାଇଁ, ବିଷ୍ଣୁ ମଳିକ, ନଳିନୀ ପାତ୍ର, ଲକ୍ଷ୍ମିପ୍ରୀୟ ମଲ୍ଲିକ ପ୍ରମୁଖ ନେତୃମଣ୍ଡଳୀ ର‌୍ୟାଲିକୁ ସଂଚାରିତ କରୁଥିବା ବେଳେ ଶିଶୁଭବନ ଛକଠାରେ ପୋଲିସ ଗିରଫ କରି ପରେ ଛାଡ଼ିଦେଇଥିଲା । ଦୁର୍ନୀତିର ନିରପେକ୍ଷ ତଦନ୍ତ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଶର୍ମା ଚେତାବନୀ ଦେଇଥିଲେ ।