Odia News Portal

ମୋ’ ବସ୍‌ରେ ବିଧାନସଭାରୁ କଳିଙ୍ଗ ଷ୍ଟାଡିୟମ ପହଞ୍ଚିଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର : ହକି ବିଶ୍ୱକପର ବର୍ଷେ ପୂର୍ତ୍ତି ଉତ୍ସବ ପାଇଁ ପୁଣି ଥରେ ଉତ୍ସବ ମୁଖରିତ ହୋଇ ପଡ଼ିଥିଲା କଳିଙ୍ଗ ଷ୍ଟାଡିୟମ । ଏହି ସ୍ମରଣୀୟ ମୂହୁର୍ତ୍ତ ପାଳନ ସମାରୋହରେ ସାମିଲ ହୋଇଥିଲେ ବିଧାୟକ ଓ ମନ୍ତ୍ରୀଗଣ । ଖାସ୍‌ ଏଥିପାଇଁ ଗତକାଲି ଅପରାହ୍ନରେ ବିଧାନସଭା କାର୍ଯ୍ୟ ସରିବା ମାତ୍ରେ ବିଧାୟକମାନେ ଛୁଟିଥିଲେ କଳିଙ୍ଗ ଷ୍ଟାଡିୟମକୁ । ବାଚସ୍ପତି, ମନ୍ତ୍ରୀ, ବିଧାୟକ ସବୁ ଏକାଠି ହୋଇ ମୋ’ ବସ୍‌ରେ ବିଧାନସଭାରୁ ଷ୍ଟାଡିୟମକୁ ଆସିଥିଲେ ।

ଗତକାଲି ଅପରାହ୍ନ ୫ଟା ୮ ମିନିଟରେ ବିଧାନସଭା ମୁଲତବୀ ହେବା ପରେ ବିଧାୟକମାନେ ତରବର ହୋଇ ବାହାରକୁ ଚାଲିଥିଲେ । ବିଧାନସଭା ପରିସରରେ ଘଣ୍ଟାଏ ଆଗରୁ ଅପେକ୍ଷା କରି ରହିଥିଲା ୪ଟି ମୋ’ ବସ୍‌ । ତରବର ହୋଇ ସବୁ ବସ୍‌ରେ ଚଢ଼ିଥିଲେ । ବରିଷ୍ଠ, ନବାଗତ ସବୁ ଏକାଠି ହୋଇ ହସଖୁସିରେ ବସରେ ବସି କଥା ହେଉଥିଲେ। ସବୁ ଦଳର ବିଧାୟକ ବସ୍‌ରେ ଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପାଖାପାଖି ବସିଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ପାଖାପାଖି ବସି କଥାବାର୍ତ୍ତା ହେଉଥିଲେ ବସ୍‌ ଭିତରେ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖ ସିଟ୍‌ରେ ବସିଥିଲେ ନବାଗତ ସୁଶାନ୍ତ ରାଉତ ।

ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ପାଖରେ ବସି ଗପସପ ହେଉଥିଲେ। ସେହିପରି ସ୍ନେହାଙ୍ଗିନୀ ଛୁରିଆ ଓ ଉଷା ଦେବୀ ଏକାଠି ବସିଥିଲେ ବସ୍‌ରେ। ୨ଟି ବସ୍‌ ପୂରା ଭିଡ଼ ଥିବାବେଳେ ଗୋଟିଏ ବସ୍‌ ପ୍ରାୟତଃ ଫାଙ୍କା ରହିଥିଲା। ବସ୍‌ ଷ୍ଟାଡିୟମରେ ପହଞ୍ଚିବା ପରେ ଏକାଠି ହୋଇ ସମସ୍ତେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ।