ଭୁବନେଶ୍ୱର : ରାଜ୍ୟରେ ଏବେ କଂଗ୍ରେସ ସକ୍ରିୟ ।ରାଜରାସ୍ତାରେ ପିଆଜ ବିକ୍ରି ଠାରୁ ଆରମ୍ଭକରି ରାତି ଅଧରେ ମହମବତୀ ଶୋଭାଯାତ୍ରା ଓ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ ଭଳି କାର୍ଯ୍ୟକ୍ରମରେ ଦଳ ମାତିଛି । ତେବେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ହଠାତ୍ କାହିଁକି ଏଭଳି ଜାଗ୍ରତ ହୋଇଗଲା ତାହାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା । ଆଲୋଚନା ଅନୁଯାୟୀ ନିରଞ୍ଜନଙ୍କୁ ଗାଦିରୁ ହଟାଇବାପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହାର ମୁକାବିଲା ପାଇଁ ଦଳ ଏଭଳି ରଣନୀତି ଆପଣେଇଛି ।
ସାଧାରଣ ନିର୍ବାଚନରେ ପରେ ପରେ ନିରଞ୍ଜନଙ୍କୁ ହଟାଇବାପାଇଁ ଯୋଜନା ହୋଇଥିଲା । ତେବେ ସେତେବେଳେ
ଚତୁର ନିରଞ୍ଜନ ଏହାର ସୁରାକ ପାଇ ନିଜଆଡୁ ଇସ୍ତଫା ଦେଇଦେଲେ । ପରେ ପରେ କେନ୍ଦ୍ର କଂଗ୍ରେସ ନିରଞ୍ଜନଙ୍କୁ ସଭାପତି ଓ ଅନ୍ୟ ଉପସଭାପତିଙ୍କୁ ତାଙ୍କ ପଦରେ ରହିବାକୁ କହି ଅନ୍ୟ ସମସ୍ତ ସଂଗଠନକୁ ଭାଙ୍ଗି ଦେଇଛନ୍ତି । ଫଳରେ ପ୍ରଦେଶ କଂଗ୍ରେସ ଏକ ପ୍ରକାର ବେସାହାରା ଅବସ୍ଥାରେ ଅଛନ୍ତି । ମାଳ ମାଳ ନେତା, ହେଲେ କାହାର ପଦ ପଦବୀ ନାହିଁ । ତେଣୁ ଓଜନ ନଥିବାରୁ କେହି ସେଭଳି କିଛି କହିବାକୁ ରାଜି ହେଉନଥିଲେ ।
ତେବେ ହଠାତ୍ କାହିଁକି ଏଭଳି ସକ୍ରିୟ ହେଲେ । ଏହାର କାରଣ ହେଲା ପ୍ରଥମେ ମୋକିମ-ବାପି ସର୍ଖେଲ ଯୋଡି ନିରଞ୍ଜନଙ୍କୁ ଗାଦିରୁ ହଟାଇବାକୁ ଘନ ଘନ ବୈଠକ କରିବାପରେ ଏବେ ମହିଳା କଂଗ୍ରେସ ସଦସ୍ୟମାନେ ଦିଲ୍ଲୀରେ ଯାଇ ନିରଞ୍ଜନ
ହଟାଅ ଅଭିଯାନକୁ ତେଜୁଛନ୍ତି ।
ଯଦିଓ ସେମାନେ ସଫଳ ହୋଇନାହାନ୍ତି କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ଏଭଳି ସ୍ଥିତିରେ ନିରଞ୍ଜନଙ୍କ ଆସନ ପୁଣିଥରେ ଟଳମଳ ହେଉଛି । ଯଦିଓ ନିରଞ୍ଜନ ବାରମ୍ବାର ପଦବୀ ଛାଡିଦେବେ ବୋଲି କହୁଛନ୍ତି କିନ୍ତୁ ଭିତରେ
ଭିତରେ ଯେ ସିଏ ସଭାପତି ରହିବାକୁ ଚାହାନ୍ତି ତାହା ଜଳ ଜଳ ହୋଇ ଦିଶୁଛି । କାରଣ ଦଳରେ କୌଣସି ପଦ ପଦବୀରେ
କେହି ନଥିବାବେଳେ ବିନା ସଭାପତିଙ୍କ ନିର୍ଦ୍ଦେଶରେ ସରକାର ବିରୁଦ୍ଧରେ ଦିନକୁ ଦୁଇ ଦୁଇ ଥର ଦଳୀୟ ପ୍ରଦର୍ଶନ ହେବା ଏକ
ପ୍ରକାର ଅସମ୍ଭବ ବ୍ୟାପାର । ତେବେ କଂଗ୍ରେସର ଗୋଟିଏ ବଡ ଗୋଷ୍ଠି କିନ୍ତୁ ଏଭଳି ଆନ୍ଦୋଳନ, ଶୋଭାଯାତ୍ରା ଠାରୁ ନିଜକୁ ଦୂରେଇ ରଖୁଛନ୍ତି । ସେମାନଙ୍କ ମତରେ ଦଳର କିଛି କର୍ମକର୍ତ୍ତା ଏବେ ସଭାପତିଙ୍କ ଇସାରାରେ ନାଚୁଛନ୍ତି ।
ସଭାପତି ନିଜେ ରାସ୍ତାକୁ ଆସି ନବୀନଙ୍କ ବିରୁଦ୍ଧରେ ଦୁଇପଡ କଡା କଥା କହୁନଥିବାବେଳେ ଚେଲା ଚାମୁଣ୍ଡାମାନଙ୍କୁ କାମରେ ଲଗାଇ ଦେଇଛନ୍ତି । ହେଲେ ସେମାନଙ୍କର କୌଣସି ପଦ ପଦବୀ ନଥିବାରୁ ଶାସକଦଳ ଖାତିର କରୁନାହିଁ । ଏପିରକି ସରକାର ବିରୋଧି ବକ୍ତବ୍ୟ ରଖୁଥିବା କଂଗ୍ରେସ ନେତାମାନଙ୍କୁ ବିଜେଡି ନେତାମାନେ ସେମାନଙ୍କର ପଦ ପଦବୀ ନେଇ ପ୍ରଶ୍ନ କରିବାକୁ ପଛାଉ ନାହାନ୍ତି । ସବୁଠାରୁ ବଡ କଥା ହେଲା ଉଭୟ ବିଜେଡି ଓ ବିଜେଡି ସଭ୍ୟ ସଂଗ୍ରହ ଠାରୁ ଆରମ୍ଭକରି ସଂଗଠନ ସଜଡା କାମରେ ବ୍ୟସ୍ତ ଥିବାବେଳେ କଂଗ୍ରେସରେ କିନ୍ତୁ ତାହା ହୋଇପାରୁନାହିଁ । ଦଳର ବିଭିନ୍ନ ଶାଖା ଏବେ ମୁରବୀ ବିହୀନ । ତାହାକୁ ସଜାଡିବା ପରିବର୍ତ୍ତେ ନିଜ ନିଜ ପଦବୀ ରକ୍ଷା ପାଇଁ କିଛି କଂଗ୍ରେସ ନେତା ଯେଭଳି ରାସ୍ତାକୁ ଆସି ହୋ ହଲ୍ଲା କରୁଛନ୍ତି ତାହା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
