Odia News Portal

୨୫ ବର୍ଷ ହେଲା ଓଡ଼ିଶାରେ ହୋଇନି ଫାଶୀ !

ଭୁବନେଶ୍ୱର : ବଳାକ୍ରାରୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ପକ୍‍ସୋ ଆଇନ୍‍ରେ ବ୍ୟବସ୍ଥା ଥିବା ବେଳେ ଦଳମତ ନିର୍ବିଶେଷରେ ସାରା ଦେଶରେ ବି ଏପରି ଦଣ୍ଡ ସପକ୍ଷରେ ମତ ପ୍ରକାଶ ପାଉଛି । ଓଡ଼ିଶାରେ କିନ୍ତୁ ଗତ ୨୫ ବର୍ଷ ମଧ୍ୟରେ ଜଣେ ହେଲେ କାହାକୁ ଫାଶୀଖୁଣ୍ଟରେ ଝୁଲାଯାଇ ନାହିଁ । ଓଡ଼ିଶାର ବ୍ରହ୍ମପୁର ସର୍କଲ୍‍ ଜେଲ୍‍ରେ ଏବେ ବି ଫାଶୀ ଖୁଣ୍ଟ ରହିଛି । ୧୯୯୪ ମସିହାରେ ଏଠାରେ ଶେଷଥର ପାଇଁ ଜଣେ ଅପରାଧୀକୁ ଫାଶୀ ଖୁଣ୍ଟରେ ଝୁଲାଯାଇ ଥିଲା । ୧୯୪୩ ମସିହାରେ ଏହି ଫାଶୀ ଖୁଣ୍ଟରେ ବ୍ରିଟିଶ୍‍ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାର ଯୁବ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ମିଛ ମାମଲାରେ ଫଶାଇ ଫାଶୀ ଦେଇଥିଲା ।

 

ସହିଦ ଲକ୍ଷ୍ମଣଙ୍କ ବଳିଦାନ ଦିବସ ଏବେ ବି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ପାଳିତ ହୁଏ । ତେବେ ୧୯୯୪ ମସିହାରେ ଲକ୍ଷ୍ମଣ ନାୟକ ନାମକ ମୟୂରଭଞ୍ଜର ଜିଲ୍ଲାର ଅନ୍ୟଜଣେ ଆଦିବାସୀ ଯୁବକଙ୍କୁ ଏଠାରେ ଫାଶୀ ଦିଆଯାଇଥିଲା । ମଦ ନିଶାରେ ଚୁର୍‍ ହୋଇ ନିଜର ୯ ବର୍ଷର ଝିଆରୀକୁ ବଳାକ୍ରାର ପରେ ସେ ଜଙ୍ଗଲରେ ମାରି ଦେଇଥିଲା । ସେତେବେଳେ ପକ୍‍ସୋ ଆଇନ୍‍ ନଥିଲେ ମଧ୍ୟ ମୟୂରଭଞ୍ଜ ଦୌରାଜଜ୍‍ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଥିଲେ ଏବଂ ପରେ ଉଚ୍ଚ ଅଦାଲତ ଏହା ଗ୍ରହଣ କରିନେଇଥିଲେ । ସେତେବେଳେ ଫାଶୀ ଦେବା ପାଇଁ ଲୋକ ନଥିବାରୁ ମହାରାଷ୍ଟ୍ରରୁ ଜଣକୁ ଅଣାଯାଇଥିଲା ।
ବଲାଙ୍ଗୀର ଜେଲ୍‍ରେ ବି ବ୍ରିଟିଶ୍‍ ଓ ରାଜାରାଜୁଡ଼ାଙ୍କ ଶାସନ ସମୟରେ ଫାଶୀ ଖୁଣ୍ଟ ଥିଲା । ବୀର ସୁରେନ୍ଦ୍ର ସାଏଙ୍କ ଲଢ଼ୁଆ ଭାଇ ଉଜ୍ଜ୍ୱଳ ସାଏଙ୍କୁ ଏଠାରେ ଫାଶୀ ଦିଆଯାଇଥିଲା । ଫାଶୀଖୁଣ୍ଟ କହିଲେ ଦୁଇଟି ଲୁହା ଖମ୍ବ ଉପରେ ଆଉ ଗୋଟିଏ ଲୁହାର ବିମ୍‍ ଥାଏ । ବଲାଙ୍ଗୀରରେ ସ୍ୱାଧୀନତା ପରେ ଆଉ କାହାକୁ ଫାଶୀ ଦିଆଯାଇନାହିଁ । ତେବେ ବ୍ରହ୍ମପୁର ଜେଲ୍‍ର ଫାଶୀ ଖୁଣ୍ଟର ରକ୍ଷଣାବେକ୍ଷଣ ପ୍ରତିବର୍ଷ କରାଯାଉଛି ।
ଇତିମଧ୍ୟରେ ବଲାଙ୍ଗୀରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ହେଉ କିମ୍ବା ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନଦୀ ଶଯ୍ୟାରେ ଛବିରାଣୀଙ୍କୁ ଗଣଧର୍ଷଣ ପରେ ନିର୍ମମ ହତ୍ୟା ହେଉ, ଏଭଳି ଅପରାଧରେ ସମ୍ପୃକ୍ତ ଦୋଷୀମାନଙ୍କ ପ୍ରତି ଅନ୍ୟ ଦଣ୍ଡାଦେଶ ହୋଇଥିଲେ ମଧ୍ୟ କାହାକୁ ଫାଶୀ ଦିଆଯାଇନାହିଁ ।

 

ଧର୍ଷଣ ଓ ହତ୍ୟା ମାମଲାରେ ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ଅନୁଗୁଳ, ମୟୂରଭଞ୍ଜ ଆଦିର ଦୌରା ଜଜ୍‍୍‍ମାନେ ଦେଇଥିବା ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇନାହିଁ । କେତେକ କ୍ଷେତ୍ରରେ ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳା ଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହି ଦଣ୍ଡାଦେଶ ଉପର ଅଦାଲତରେ ବିଚାରାଧୀନ ରହିଛି । ୨୫ ବର୍ଷ ମଧ୍ୟରେ ଆମ ରାଜ୍ୟରେ ବହୁ ବଳାକ୍ରାର ଓ ହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ଜଣେ ହେଲେ କେହି ଫାଶୀ ପାଇନାହାନ୍ତି ।  ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ଓଡ଼ିଶାରେ ଗତବର୍ଷ ପ୍ରାୟ ୧୮ ପ୍ରତିଶତ ବଳାକ୍ରାର ମାମଲାରେ ଦଣ୍ଡାଦେଶ ହୋଇଛି । ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସା ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୭.୪ ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଏହି ହାର ୯.୮ ପ୍ରତିଶତ ଥିବା ବେଳେ ଆଇପିସିର ବିଭିନ୍ନ ଅପରାଧିକ ମାମଲାରେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରରୁ କମ୍‍ ରହୁଥିବା ସର୍ବଶେଷ ଏନ୍‍ସିଆର୍‍ବି ରିପୋର୍ଟରୁ ଜଣାପଡ଼ିଛି । ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ମହିଳାମାନଙ୍କ ପ୍ରତି ବିଭିନ୍ନ ଅପରାଧ ଘଟଣାରେ ଯେତେ ମାମଲା ଓଡ଼ିଶାରେ ବିଚାର ପାଇଁ ରହୁଛି ସେଥିରୁ ମାତ୍ର ୫.୩ ପ୍ରତିଶତ ବର୍ଷରେ ଫଇସଲା ହେଉଥିବା ଏଥିରେ ଦର୍ଶାଯାଇଛି ।