ଭୁବନେଶ୍ୱର : ଅପରାଧିମାନେ ଯେଭଳି ସହଜରେ ଜେଲ୍ରୁ ନମୁକୁଳିବେ ସେଥିପାଇଁ ଦୃଷ୍ଟି ଦେବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମସ୍ତ
ଏସ୍ପିଙ୍କ ସମେତ କଟକ-ଭୁବନେଶ୍ୱର ଡିସିପିଙ୍କୁ ପତ୍ର ଲେଖିଥିବାବେଳେ ରାଜଧାନୀର ଚୋରଙ୍କର କିନ୍ତୁ ଜେଲ୍କୁ ଯିବା ଆସିବା ଲାଗି ରହୁଛି । ଜେଲ୍ରୁ ଫେରି ଗୋଟିଏ ପରେ ଗୋଟିଏ ଚୋରି କରୁଥିବା ଏହି ଜଣାଶୁଣା ଚୋରଙ୍କ ପ୍ରତି ପୁଲିସ୍ କାହିଁକି ଏଭଳି ନରମ ହେଉଛି ତାହାକୁ ନେଇ ଏବେ ଚର୍ଚ୍ଚା ।
ଅଭିଯୋଗ ଅନୁଯାୟୀ ରାଜଧାନୀର ଏବେ ସବୁଠାରୁ ଅଧିକ ଚୋରି ହେଉଥିବା ଅଞ୍ଚଳ ହେଉଛି ୬ନମ୍ବର । ରାଜଭବନ,
ଲୋକସେବାଭବନ ସହିତ ରାଜ୍ୟର ବରିଷ୍ଠ ପ୍ରଶାସକ ବସବାସ କରୁଥିବା ଏହି ଅଞ୍ଚଳଟି ଏବେ ଚୋର ଓ ନିଶାଡିଙ୍କ ଚରାଭୂଇଁ
ପାଲଟିଛି । ପ୍ରତିଦିନ କାହାରି ନା କାହାରି ସରକାରୀ କ୍ୱାଟର୍ସରୁ ଚୋରି ହେଉଛି । ଚୋରଙ୍କ ଉତ୍ପାତରେ କିଏ ଘର ବଦଳାଉଛି
ତ ଆଉ କିଏ ଘରଛାଡି ପଳାଉଛି । ଚୋର ଧରିବାପାଇଁ ଲୋକେ ଏବେ ସିସିଟିଭି ଲଗାଇଲେଣି । ହେଲେ ଚୋରି ଥମିବା
ପରିବର୍ତ୍ତେ ବଢି ବଢି ଚାଲିଛି ।
ସୂଚନା ଅନୁଯାୟୀ ଏହାର ମୁଖ୍ୟ କାରଣ ହେଉଛି ପୁଲିସ୍-ଚୋରଙ୍କ ଲୁଚକାଳି । ଯେଉଁ ଚୋରକୁ ପୁଲିସ୍ ଗିରଫ କରୁଛି
ସିଏ ତିନି ଚାରି ଦିନ ପରେ ମଇଦାନରେ । ଛଅ ନମ୍ବର ଅଞ୍ଚଳର ସଡକ ବସ୍ତିରେ ରହୁଥିବା ଗୋଟିଏ କୁଖ୍ୟାତ ଚୋର ସହିତ
ପୁଲିସ୍ର ଏଭଳି କାରବାର ଏବେ ଚର୍ଚ୍ଚାରେ । କ୍ୟାପିଟାଲ ଥାନା ପୁଲିସ୍ ସମ୍ପୃକ୍ତ ଚୋରକୁ ବାରମ୍ବାର ଗିରଫ କରୁଛି । ହେଲେ
କି ଦଫା ଲଗାଉଛି କେଜାଣି ସିଏ ଦିନେ ଦୁଇଦିନ ପରେ ଜେଲ୍ରୁ ବାହାରି ଆସୁଛି । ଆସିଲାପରେ ପୁଣି ତାହାର କାର୍ଯ୍ୟକ୍ରମ ଜାରି
ରଖୁଛି । ଚୋରଙ୍କ ଉସ୍ତାଦ ପାଲଟିଥିବା ଏହି ପିଲାଟି ଏବେ ଛଅ ନମ୍ବର ଅଞ୍ଚଳରେ ଗୋଟିଏ ଚୋର ଗ୍ୟଙ୍ଗ ସୃଷ୍ଟିକରି ଆଖପାଖ
ୟୁନିଟ୍ରେ ଚୋରି କାର୍ଯ୍ୟ ଆରମ୍ଭ କରିଦେଲାଣି । ହେଲେ କ୍ୟାପିଟାଲ ଥାନା ପୁଲିସ୍ ସବୁ ଜାଣି ବି କୋହଳ ମନୋଭାବ
ଦେଖାଉଥିବାରୁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।
କେବଳ ଚୋର ନୁହେଁ ନିଶା ବେପାରୀଙ୍କ ପ୍ରତି ବି କ୍ୟାପିଟାଲ ଥାନା ପୁଲିସ୍ର ଅତ୍ୟନ୍ତ କୋହଳ ମନୋଭାବ । ଛଅ
ନମ୍ବର ଅଞ୍ଚଳରେ ଗଞ୍ଜେଇ ବେପାରୀଙ୍କ ସଂଖ୍ୟା ଏକ ରୁ ବଢି ୬ ହେଲାଣି । ଏହା ମଧ୍ୟରେ ଦୁଇଜଣ ମହିଳା ।
ସେହିଭଳି ୩/୪ ଜଣ କୁଖ୍ୟାତ ଡ୍ରଗ୍ସ ବେପାରୀ ଏହି ଅଞ୍ଚଳକୁ ଚରାଭୂଇଁ କରିଛନ୍ତି । ସ୍ଥାନୀୟ କାଳୀମନ୍ଦିର ନିକଟରେ ସକାଳୁ ରାତି ଅଧ ପର୍ଯ୍ୟନ୍ତ ବେଧଡକ ସେବନ ଓ ବେପାର ଚାଲୁଛି । ପୁଲିସ୍ ପିସିଆର ଆସୁଛି କିଛି ନଦେଖିଲା ଭଳି ପଳାଉଛି । ମଝିରେ ମଝିରେ ଜଣେ ଅଧେ ଗଞ୍ଜେଇ ବେପାରୀଙ୍କୁ ଧରି ନେଉଛି । ହେଲେ ତିନି ଚାରିଦିନ ପରେ ସେହି ଲୋକଟି ଆସି ନିଧଡକରେ ବେପାର ଚଳାଉଥିବା ଦେଖିବାକୁ ମିଳୁଛି । ପୁଲିସ୍ର ଏଭଳି କୋହଳ ମନୋଭାବ ଯୋଗୁଁ ଛଅ ନମ୍ବର ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ବେଆଇନ୍ ବସ୍ତିରେ ଏବେ ଘରେ ଘରେ ନିଶା ବେପାର କୁଟୀରଶିଳ୍ପରେ ପରିଣତ ହେଲାଣି । ନିଶା ବେପାରୀଙ୍କୁ ତଡିପାର କରିବାପାଇଁ ମଝିରେ ହୋଇଥିବା ଯୋଜନା ଧିମେଇ ଯିବାରୁ କିଛିଦିନ ପାଇଁ ରାଜଧାନୀ ଛାଡିଥିବା ଓ ଛପିଯାଇଥିବା ନିଶା ବେପାରୀମାନେ ପୁଣିଥରେ ସକ୍ରିୟ ହେବାରେ ଲାଗିଛନ୍ତି ।
ପୁଲିସ୍ ହଳଦିପଡିଆ ଉପରେ ଘନ ଘନ ଚଢଉ କରିବା ପରେ ସେମାନେ ଏବେ ଛଅ ନମ୍ବର ସମେତ ରାଜଧାନୀର ଅନ୍ୟ ୟୁନିଟ୍କୁ ବେପାରସ୍ଥଳ ବନାଇ ଦେଇଛନ୍ତି । ତେଣୁ ନିଶାବେପାରୀଙ୍କ ସମେତ ବାରମ୍ବାର ଚୋର କରୁଥବା ଯୁବକଙ୍କୁ ରାଜଧାନୀରୁ ତଡିପାର କରିବାପାଇଁ ମତ ପ୍ରକାଶ ପାଉଛି ।
