ନୂଆଦିଲ୍ଲୀ : ଗତକାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଙ୍ଗାମା ମଧ୍ୟରେ ଏହି ବିଲ୍ ପାରିତ ହୋଇଛି। ବିଲ୍ ସପକ୍ଷରେ ୧୨୫ଟି ଭୋଟ ପଡିଥିବା ବେଳେ ଏହାର ବିରୋଧରେ ୧୦୫ଟି ଭୋଟ୍ ପଡିଥିଲା।
ଆଜି ସକାଳ ୧୨ଟାରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ବିଲ୍ ଆଗତ କରିଥିଲେ। ଏହାକୁ କଂଗ୍ରେସ, ଟିଏମସି ଆଦି ଦଳ କଡା ବିରୋଧ କରିଥିଲେ। ଏପରିକି ଦେଶକୁ ଏହା ବିଭାଜନ କରିବ ବୋଲି ସେମାନେ ଯୁକ୍ତି ଉପସ୍ଥାପନା କରିଥିଲେ। ଶିବସେନା ଏହି ବିଲକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ ମଧ୍ୟ ଭୋଟିଂ ବେଳେ କକ୍ଷ ତ୍ୟାଗ କରିଥିଲା। ଏହାପରେ ପ୍ରବଳ ହଙ୍ଗାମା ମଧ୍ୟରେ ଏହା ପାରିତ ହୋଇଥିଲା।
ମୋଟ ୨୩୦ଜଣ ସାଂସଦ ଏହି ବିଲ୍ ବାବଦରେ ଭୋଟିଂ କରିଥିଲେ। ତେବେ ବିଲ୍ ସପକ୍ଷରେ ୧୨୫ ଖଣ୍ଡ ଭୋଟ ପଡିଥିବା ବେଳେ ଏହାର ବିରୋଧରେ ୧୦୫ଟି ଭୋଟ୍ ପଡିଛି। ଏହି ବିଲକୁ ସଂସଦୟ ଉଭୟ ଗୃହରେ ମଞ୍ଜୁରୀ ମିଳିଛି। ଏହାକୁ ଏବେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହା ଆଇନରେ ପରିଣତ ହେବ।
