ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ରେ ରାଜନୀତିର ରଙ୍ଗ ବଦଳୁଛି । ତଫସିଲଭୁକ୍ତ ଜାତି ଓ ଜନଜାତିର
କର୍ମଚାରୀ ଅନ୍ୟମାନଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଏକ ସ୍ୱତବ ଗୋଷ୍ଠି ଗଠନ କରିଥିବାବେଳେ ଅତୀତରେ ଜାତି ରାଜନୀତିରେ
ସଂଘର ନେତୃତ୍ୱ ସାଙ୍ଗକୁ ସଂଘ କାର୍ଯ୍ୟାଳୟକୁ ଦଖଲକୁ ନେଉଥିବା ଗୋଷ୍ଠି ଏବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରଙ୍ଗ ବଦଳାଇ ସାଧାରଣବର୍ଗର ବାର୍ତ୍ତାବହ ହେବାକୁ ଅଣ୍ଟା ଭିଡୁଛନ୍ତି । ସଂଘର ର୍ନିବାଚନ ଇତିହାସକୁ ଦେଖିଲେ ଜଣାଯାଏ, ଅତୀତରେ ଉଭୟ ସଂଘ ଓସ୍ମା ଓ ଓସାର ସାଧାରଣବର୍ଗର
ନେତୃତ୍ୱ, ସଂଘର ଦାୟିତ୍ୱ, କାର୍ଯ୍ୟାଳୟକୁ ହାସଲ କରିବା ଉଦ୍ଦେଶ୍ୟରେ ତଫସିଲଭୁକ୍ତ କର୍ମଚାରୀ-ସଭ୍ୟଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଭୋଟ ନେଇ ସଂଘର ନେତା ବନନ୍ତି ଓ ନିଜର ଉଦ୍ଦେଶ୍ୟ ପୂରଣ କରିଥାନ୍ତି । ଏ କଥା ଗତ ୨୦/୨୫ବର୍ଷ ଧରି ସଂଘ ନିର୍ବାଚନରେ ଦେଖିବାକୁ ମିଳିଛି । ତଫଳସିଲଭୁକ୍ତ କର୍ମଚାରୀ-ସଭ୍ୟ ଏ ସଂଯୋଗରୁ କଣ ଲାଭ ପାଆନ୍ତି ତାହାର ଭିନ୍ନ କଥା, କିନ୍ତୁ ଅପର ପକ୍ଷରେ ଏହି ସାଧାରଣ ବର୍ଗର ନେତାମାନେ ଯେଉଁ ପ୍ରତିଶ୍ରୁତି ସେମାନଙ୍କୁ ଦେଇଥାନ୍ତି ତାହା ତାଙ୍କ ବର୍ଗର ସ୍ୱାର୍ଥ ଓ ଦେଶର ଆଇନ୍ ବିରୋଧି ହୋଇଥାଏ ।
ଏଠାରେ ପ୍ରକାଶ ଥାଉକି ଏଥିପାଇଁ ସେଦିନର ଅନିୟମିତ ଭାବେ ସଚିବାଳୟ ସେବାରେ ଯୋଗ ଦେଇଥିବା ତଫସଲି ଭୁକ୍ତ
କର୍ମଚାରୀ (ନନ୍ ପିଏସ୍ସି) ଚାକିରି ହରାଇବା ବଦଳରେ କ୍ୟାଡରରେ ରହିଲେ ଏବଂ ସାଧାରଣ ବର୍ଗର କର୍ମଚାରୀଙ୍କ ପଦବୀକୁ ଦଖଲ କଲେ । ସାଧାରଣବର୍ଗର ଅନେକ କର୍ମଚାରୀ ଏଥିପାଇଁ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ନେତାମାନେ ନିରବ ରହିବାକୁ ପସନ୍ଦ କରିଥିଲେ । ଏ ବିଚିତ୍ର ରୋଗ ନୂଆ ପୀଢିର ସାଧାରଣ ବର୍ଗର ନେତାଙ୍କୁ ମଧ୍ୟ ଆକ୍ରାନ୍ତ କରିଛି । ନିର୍ବାଚନରେ ତଫସିଲଭୁକ୍ତ କର୍ମଚାରୀ ସଭ୍ୟଙ୍କ ଭୋଟ ହାତେଇ ସଂଘର ନେତୃତ୍ୱ ସାଙ୍ଗକୁ ସଂଘ କାର୍ଯ୍ୟାଳୟ ସହିତ ସଂଶ୍ଳିଷ୍ଟ ବ୍ୟବସାୟକୁ ଦଖଲ କରିବାପାଇଁ ଏମାନେ କୌଣସି ସୁଯୋଗକୁ ହାତଛଡା କରୁନଥିବା କର୍ମଚାରୀମାନେ କହୁଛନ୍ତି । ନିର୍ବାଚନରେ ତଫସିଲଭୁକ୍ତ କର୍ମଚାରୀଙ୍କ ପ୍ରାର୍ଥୀଙ୍କୁ ନିଜ ଗୋଷ୍ଠିରେ ସାମିଲ କରନ୍ତି । ବିଭିନ୍ନ ପ୍ରଲୋଭନ ଦେଖାନ୍ତି । ଅପର ପକ୍ଷରେ ସାଧାରଣବର୍ଗର କର୍ମଚାରୀ-ସଭ୍ୟ ଯେଉଁମାନେ ସାଧାରଣ ବର୍ଗର ସ୍ୱାର୍ଥପାଇଁ, ଚାକିରିର ସୁରକ୍ଷାପାଇଁ କାମ କରନ୍ତି ଏବଂ ଦେଶ ଓ ରାଜ୍ୟର ଆଇନ୍ ପ୍ରଚଳନ ପାଇଁ ସରକାରଙ୍କ ନିକଟରେ ଦାବି ରଖନ୍ତି, ଏମାନେ ତାଙ୍କୁ ବିଭିନ୍ନ ଅଭିଯୋଗ ଆଣି ନିନ୍ଦିତ କରନ୍ତି ।
ଦେଶରେ ଆଇନ୍ କ୍ଷେତ୍ରରେ ବିପ୍ଳବ ଆଣିଥିବା ମହାପୁରୁଷଙ୍କର ବିକୃତ କରିବାପାଇଁ ମଧ୍ୟ ପଛାନ୍ତି ନାହିଁ । ନିରପେକ୍ଷତାର ଦ୍ୱାହିଦେଇ କର୍ମଚାରୀ-ସଭ୍ୟଙ୍କ ଚାକିରି, ପଦୋନ୍ନତି, ଆଇନ୍, ପଦକ୍ରମ ତାଲିକା ପ୍ରଣୟନ କ୍ଷେତ୍ରରୁ ଦୂରେଇ ରୁହନ୍ତି । ନା ଆଇନ୍ର ତର୍ଜମା କରନ୍ତି ନା ଆଇନ୍ ଠିକ୍ ଭାବେ ଲାଗୁ ହେଉବୋଲି ପଦଟିଏ କହିବାକୁ ସାହସ ଜୁଟାଇଥାନ୍ତି ।
ଏମାନଙ୍କ ନିକଟରେ ଚାକିରି ଅପେକ୍ଷା ବ୍ୟବସାୟ ଅଧିକ ମହତ୍ୱ ରଖେ । ଏବେ ଡେସ୍କ ଅଫିସର ପଦକୁ ପଦୋନ୍ନତି ବଳରେ ଆଇନର ଜାଲରେ ଛନ୍ଦି ହେଲାପରେ ରଙ୍ଗ ବଦଳାଇଛନ୍ତି ତଥାକଥିତ ନେତାଗଣ । ରାତି ଦିନ ଏବେ ସାଧାରଣବର୍ଗଙ୍କ ନାମ ଜପୁଛନ୍ତି । କେହି କେହି ଏହି ରଙ୍ଗକୁ ଆଗାମୀ ସଂଘ ନିର୍ବାଚନ ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହୁଥିବାବେଳେ ଆଉ କେହି ଏ ବହୁରୂପି ଏଣ୍ଡୁଅଙ୍କୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଉଛନ୍ତି । ଅପର ପକ୍ଷରେ ତଫସିଲଭୁକ୍ତ କର୍ମଚାରୀମାନେ ଦୀର୍ଘଦିନରୁ ନିଜର ମିତ୍ର ବୋଲି ଭାବି ନେଇଥିବା ଗୋଷ୍ଠିକୁ ବିଳମ୍ବରେ ହେଲେ ମଧ୍ୟ ଚିହ୍ନିପାରି ସେମାନଙ୍କ ଠାରୁ ସମସ୍ତ ସମ୍ପର୍କ ଛିନ୍ନକରି ଏକ ସ୍ୱତବ ଗୋଷ୍ଠି ଗଠନ କରିଥିବା ଜଣାଯାଇଛି ।
