ଭୁବନେଶ୍ୱର : ପରିବେଶର ସୁରକ୍ଷା ଓ କର୍ମଚାରୀମାନଙ୍କୁ ଫିଟ୍ ରଖିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆରମ୍ଭ କରିଥିବା ସାଇକେଲ ଚାଳନା ଫଣ୍ଡା ଆରମ୍ଭରୁ ଆଦୃତ ହୋଇଥିବାବେଳେ ଏ ସଂକ୍ରାନ୍ତୀୟ ଖବର କିନ୍ତୁ ଓଡିଆ ଭାଷାରେ ଆସିପାରୁ ନାହିଁ । କର୍ତ୍ତୃପକ୍ଷ ଇଂରାଜୀରେ ପ୍ରେସରିଲିଜ ଦେଇ ବସିଯାଉଛନ୍ତି । ଖାଲି ବିଏମ୍ସି ନୁହେଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମଧ୍ୟ ଅନୁରୂପ ଅବସ୍ଥା । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପର ଓଡିଆ ଭାଷାରେ ଖବରଟିଏ ଗଣମାଧ୍ୟମ ନିକଟରେ ପହଞ୍ଚିପାରୁ ନାହିଁ । ବିଏମ୍ସି ଓ ସ୍ମାର୍ଟସିଟର ଓଡିଆ ଭାଷା ପ୍ରତି ଏଭଳି ମନୋଭାବ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଭୁବନେଶ୍ୱରର ଖବର କ’ଣ କେବଳ ଇଂରାଜୀ ଗଣମାଧ୍ୟମ ପାଇଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ଓଡିଆ ଭାଷାରେ ସଠିକ ଖବର ନ ଆସିବାରୁ ଇଂରାଜୀକୁ ଯିଏ ଯେମିତି ବୁଝୁଛି ଅନୁବାଦ କରୁଛି । ଯିଏ ନପାରୁଛି ସିଏ ଟିଭି ଦେଖି କିମ୍ବା ଅନ୍ୟ ଗଣମାଧ୍ୟମରୁ ଉତାରୁଛି । ବିଏମ୍ସି ଓ ସ୍ମାର୍ଟସିଟିର ପ୍ରଚାର ପ୍ରଚାର ପାଇଁ ଗୋଟିଏ ୟୁନିଟ୍ ରହିଛି । ଏଥିରେ ଅନେକ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି କାର୍ଯ୍ୟ କରୁଥିବାବେଳେ କାହିଁକି ସେମାନେ ଓଡିଆ ଭାଷାରେ ଖବର ଦେଉନାହାନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପଛରେ କେଉଁ କାରଣ ରହିଛି ତାହା ଜାଣିବାପାଇଁ ଏବେ ଅନେକ ଗଣମାଧ୍ୟମ ଉତ୍ସୁକତା ପ୍ରକାଶ କରିଛନ୍ତି ।
ଯେତେବେଳେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମବାଳୟ ଆଞ୍ଚଳିକ ଭାଷା ଓ ଆଞ୍ଚାଭାଷାରେ ପ୍ରକାଶିତ
ଗଣମାଧ୍ୟମରେ ସେମାନଙ୍କ ଖବର ଛାପିବାପାଇଁ ବ୍ୟଗ୍ରତା ଦେଖାଇ ଦିଲ୍ଲୀରୁ ଆସି ରାଜଧାନୀରେ ପହଞ୍ଚି ସାମ୍ବାଦିକଙ୍କୁ ଭେଟୁଛନ୍ତି ସେତେବେଳେ ବିଏମ୍ସି ଓ ସ୍ମାର୍ଟସିଟି ଖବର ଇଂରାଜୀ ଭାଷାରେ ଆସିବା କେବଳ ଅବହେଳା ନୁହେଁ ମାତୃଭାଷା ଓ ଓଡିଆ ଗଣମାଧ୍ୟମ ପ୍ରତି ଅପମାନ ବୋଲି ଅନେକ ମତ ଦେଉଛନ୍ତି ।
କେବଳ ବିଏମ୍ସି କିମ୍ବା ସ୍ମାର୍ଟସିଟି ନୁହେଁ ପର୍ଯ୍ୟଟନ ଓ କ୍ରୀଡା ବିଭାଗରେ ମଧ୍ୟ ଅନୁରୂପ ଓଡିଆ ଅବହେଳା ମନୋଭାବ ପରିଲକ୍ଷିତ ହେଉଛି । ପର୍ଯ୍ୟଟନ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବାଦ୍ ଦେଲେ ବିଭାଗର ଅନ୍ୟ ଖବର କେବଳ ଇଂରାଜୀ ଭାଷାରେ ଆସୁଛି । କ୍ରୀଡା ବିଭାଗ କଥା ନକହିବା ଭଲ । ଏଠାରେ ମାଳ ମାଳ ସୂଚନା ଅଧିକାରୀ । ହେଲେ ଅଣଓଡିଆଙ୍କ ସଂଖ୍ୟା ଅଧିକ । ହକି ଖେଳ ହେଉ କିମ୍ବା ଫୁଟ୍ବଲ୍, ଇଂରାଜୀ ଭାଷାରେ ପ୍ରେସ୍ ରିଲିଜ୍ ଜାରି ହେଉଛି । ଏହାକୁ ପଠାଉଥିବା ସଂସ୍ଥା ଓ ଏହାର ସୂଚନା ଅଧିକାରୀ ପ୍ରାୟତଃ ସମସ୍ତେ ଅଣଓଡିଆ । ଓଡିଶା ଭାଷା ବ୍ୟବହାର ପାଇଁ ରାଜ୍ୟ ସରକାର ଆଇନ୍ କରିଥିବାବେଳେ ଖୋଦ୍ ରାଜଧାନୀରେ ଥିବା ସରକାରୀ ସଂସ୍ଥା ଓ ବିଭାଗର ଏଭଳି ଇଂରାଜୀ ପ୍ରୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାଦ୍ୱାରା ସମ୍ପୃକ୍ତ ସଂସ୍ଥା ଓ ବିଭାଗ ଗୁଡିକ କିଭଳି
କ୍ଷତିଗ୍ରସ୍ତ ହେଉଛନ୍ତି ତାହାର ମୁଖିଆମାନେ ଜାଣିବା ଆବଶ୍ୟକ । ଓଡିଆ ଭାଷାର ଲୋକପ୍ରିୟତା ସହିତ ଫଳକ ସବୁ ଯେଭଳି
ଓଡିଆରେ ଲେଖାଯିବ ସେଥିପାଇଁ ସ୍ୱତବ ୱେବସାଇଟ୍ ପ୍ରସ୍ତୁତ ହୋଇଛି । ହେଲେ ଯେତେବେଳେ ସରକାରୀ ସଂସ୍ଥା ଓଡିଆ
ଭାଷାରେ ଖବରଟିଏ ଦେବାକୁ କୁଣ୍ଠାପ୍ରକାଶ କରୁଛନ୍ତି ବ୍ୟବସାୟୀମାନେ କାହିଁକି ନିୟମ ମାନିବେ ବୋଲି ପ୍ରଶ୍ନ ହେଲାଣି ।
