ଭୁବନେଶ୍ୱର : କମିଶନରେଟ୍ ପୋଲିସର ରିଲ୍ ଓ ରିୟଲ ଲାଇଫ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟିଏପଟେ ହତ୍ୟା ପରେ ହତ୍ୟା ଖବର ଶୁଣି ରାଜଧାନୀବାସୀ ଥରହର ହୋଇ ଉଠୁଥିବାବେଳେ ଅନ୍ୟପଟେ ଟ୍ରାଫିକ୍ ଚେକିଂରେ ସୀମିତ କମିଶନରେଟ୍ ପୋଲିସ । ଗୋଟିଏ ପଟେ ଲୁଟ୍, ରାହାଜାନୀ, ଦୁଷ୍କର୍ମ, ହତ୍ୟା ଅଭିଯୁକ୍ତ ଭୁବନେଶ୍ୱରକୁ ଭୂସ୍ୱର୍ଗ ବନାଇ ଦେଇଥିବାବେଳେ ଅନ୍ୟ ପଟେ ପୋଲିସ କମିଶନରଙ୍କ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନେକଙ୍କୁ ବ୍ୟଥିତ କରିଛି । ଆସ୍କ ମି ଏନିଥିଙ୍ଗ ନୁହେଁ ବରଂ କମିଶନର ମହୋଦୟ ଏହି କାର୍ଯ୍ୟକ୍ରମର ନାମ ‘ଆଇ ଆମ ଡୁଇଙ୍ଗ ନ ଥିଙ୍ଗ’ ରଖିଥିଲେ ଭଲ ହୋଇଥାନ୍ତା ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ।
ଗତ ଅକ୍ଟୋବର ୨୦ରେ ଧଉଳି ଥାନା ଅଞ୍ଚଳରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତଦେହ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା । ମୃତ୍ୟୁର କାରଣ ପ୍ରେମଜନିତ ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା । କିନ୍ତୁ ଏଯାଏଁ ବଏଫ୍ରେଣ୍ଡ ବିକ୍ରମ ମିଶ୍ରଙ୍କ ପତ୍ତା ପାଉନି କମିଶନରେଟ୍ ପୋଲିସ । ସେହିପରି ଅକ୍ଟୋବର ୨୭ ତାରିଖ ଦୀପାଳବି ରାତିରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକାମ୍ର କଲେଜ ନସିକଟରେ ଅତି ନିର୍ମମ ଭାବେ ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା । ସ୍ଥାନୀୟ ପୋଲିସ ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟମାନେ ଫେରାର ରହିଛନ୍ତି । ସେହି ଘଟଣାକୁ କେନ୍ଦ୍ର କରି ଗତ କିଛି ଦିନ ତଳେ ସୁନ୍ଦରପଦାର ଅନ୍ୟ ଜଣେ ଯୁବକଙ୍କୁ ମଦନପୁର ନିସ୍ କଲେଜ ସମ୍ମୁଖରେ ଆକ୍ରମଣ ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କିଛି ଦିନ ତଳେ ତଡିପାର ହୋଇଥିବା ସରକନ୍ତରାର ଅଗ୍ନି ଷଡଙ୍ଗୀ କୁ ଧରିବାରେ ଏଯାଏଁ ପୋଲିସ ବିଫଳ ହୋଇଛି ।
ନଭେମ୍ବର ୭ ତାରିଖରେ ଖଣ୍ଡଗିରି ଥାନା ବାହାଦଲପୁର ଠାରେ ହୋଇଥିଲା ଅନିଲ ଓ ତାଙ୍କ ବାପାଙ୍କୁ ଗୁଳିମାଡ଼ । ଗୁଳିମାଡ଼ ଘଟଣାରେ ଅନିଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଏଯାଏଁ ଗୁରୁତର ଅଛନ୍ତି । ବ୍ରାଉନସୁଗାର ବେପାରକୁ ନେଇ ଗୁଳିମାଡ଼ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ସେହିପରି ନଭେମ୍ବର ୧୨ ଖଣ୍ଡଗିରି ଇପିକଲ ଫାର୍ମ ହାଉସ ନିକଟରୁ ମିଳିଥିଲା କଟାଗୋଡ଼, କିନ୍ତୁ ମୁଣ୍ଡ ଖୋଜିବା ବଦଳରେ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଥିଲା ପୋଲିସ । ନଭେମ୍ବର ୧୮ ଲକ୍ଷ୍ମୀସାଗର ଷ୍ଟେସନ ବଜାରରେ ଥିବା ଏକ ଲଜ୍ରେ ଟିଭି ରାଓଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିଲା । ସିସିଟିଭି ଫୁଟେଜ୍ ଓ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତ ପାଖରେ ପହଞ୍ôଚଥିଲେ ମଧ୍ୟ ଏଯାଏଁ ଧରିବାରେ ସକ୍ଷମ ହୋଇପାରିନାହିଁ । ସେହିପରି ଗତ ନଭେମ୍ବର ୨୯ ତାରିଖରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ ଏରିଆରେ ହାଡ, ଖପୁରି ମିଳିବା ଘଟଣା ମଧ୍ୟ ସସପେନ୍ସରେ ରହିଯାଇଛି ।
ଅପରାଧର ଏତେ ସବୁ ଅଳିନ୍ଦ ଭିତରେ ଥାନାଧିକାରୀମାନେ ଅଣନିଶ୍ୱାସୀ ହୋଇପଡିଥିବାବେଳେ ପୋଲିସ କମିଶନର ଆରମ୍ଭ କରିଛନ୍ତି ‘ଆସ୍କ ମି ଏନିଥିଙ୍ଗ’ । କାର୍ଯ୍ୟରେ ଯୋଗଦେବା ଦିନଠାରୁ ଆଇନଶୃଙ୍ଖଳାକୁ ଛାଡି କେବଳ ଟ୍ରାଫିକ୍ରେ ଫୋକସ କରୁଥିବା କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଏଭଳି ଉଦ୍ୟମ ଆରମ୍ଭ ଦିନରୁ ଲୋକହସା ହୋଇଛି । କାରଣ ସେ।।ସିଆଲ୍ ମିଡିଆରେ ମଧ୍ୟ କମିଶନର ମହୋଦାୟ କେବଳ ଟ୍ରାଫିକ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି । ଆଗକୁ ଏସବୁ ଦିଗରେ ଗୁରୁତ୍ୱ ନ ଦେଲେ ନେଡିଗୁଡ କହୁଣିକୁ ବୋହିବା ଅବସ୍ଥା ଭୋଗିବାକୁ ପଡିବ ବୋଲି ମତ ରଖିଛନ୍ତି ଟୁଇନ୍ ସିଟିର କିଛି ବରିଷ୍ଠ ନାଗରିକ
