ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ବିସ୍ତୃତ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । ଐତିହ୍ୟ ସମ୍ପନ୍ନ ଏକାମ୍ର କ୍ଷେତ୍ରର ବିକାଶ ସହ ଏହାକୁ ନୂଆ ରୂପରେ ରୂପାନ୍ତରିତ କରାଯିବ । ଏହି ପ୍ରକ୍ରିୟାରେ କିଛି ଉଠା ଓ ସ୍ଥାୟୀ ଦୋକାନୀଙ୍କ ସହ କିଛି ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ବି ଉଚ୍ଛେଦ ହେବ ।
ଏହି ବିକାଶ ପ୍ରକ୍ରିୟାରେ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ଭକ୍ତ କବି ମଧୁସୂଦନ ବାଳକ ସ୍କୁଲ (ବିଏମ୍ ସ୍କୁଲ)ଓ ସୁଭଦ୍ରା ମହତାବ ହାଇସ୍କୁଲ (ଏସ୍ଏମ୍ ହାଇସ୍କୁଲ) ବି ଭାଙ୍ଗିବ । ଯାହା ମନ୍ଦିର ପାଚେରୀରୁ କେବଳ ୨୦ ମିଟର ଦୂରରେ ଅବସ୍ଥାପିତ । ପୁରୀ ଭଳି ଲିଙ୍ଗରାଜ ମନ୍ଦିରର ୭୫ ମିଟର ପର୍ଯ୍ୟନ୍ତ ସବୁ ଭଙ୍ଗାଯିବ ।
ଦେଢ ମାସ ପରେ ମାଟ୍ରିକ ଓ ବାର୍ଷିକ ପରୀକ୍ଷା । ତା ପୂର୍ବରୁ ସ୍କୁଲ ଭାଙ୍ଗିଲେ, ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହେବା ନିଶ୍ଚିତ । ୭୮ ବର୍ଷର ବିଏମ୍ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରହିଛି । ଏଠାରେ କେବଳ ବାଳକ ପଢନ୍ତି । ସେହିପରି ଏସ୍ଏମ୍ ହାଇସ୍କୁଲ ବି ବହୁ ପୁରାତନ ବାଳିକା ହାଇସ୍କୁଲ । ଲିଙ୍ଗରାଜ ମନ୍ଦିର ଓ ତା ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହି ଦୁଇଟି ସ୍କୁଲ ସ୍ଥାନାନ୍ତରିତ ହେବ । ସ୍କୁଲ ଭାଙ୍ଗିଲେ ଏହି ଦୁଇଟି ସ୍କୁଲର ଛାତ୍ରଛାତ୍ରୀ କେଉଁଠି ପାଠ ପଢ଼ିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୁଣିବାକୁ ମିଳିଛି, ଏହି ଦୁଇଟି ସ୍କୁଲ ଭାଙ୍ଗିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି । ଯୋଜନା ଅନୁସାରେ ବିଏମ୍ ବାଳକ ସ୍କୁଲ ଓ ଏସ୍ଏମ୍ ବଳିକା ହାଇସ୍କୁଲକୁ ମିଶାଇ ଗୋଟାଏ କରାଯିବ । ହେଲେ ଏସ୍ଏସ୍ ବାଳିକା ହାଇସ୍କୁଲ ହେଡ ସାର୍ କେଁ ପୂରାଉଛନ୍ତି । କାରଣ ବର୍ଷ ବର୍ଷ ଧରି ପୁଅମାନଙ୍କ ସହ ମିଶିକି ଯେଉଁ ଝିଅମାନେ ପଢି ନାହାନ୍ତି, ହଠାତ୍ ସେମାନେ ପରସ୍ଥିତି ସହ ଖାପ ଖୁଆଇ ପାରିବେ ନାହିଁ । ଏପରିକି ସ୍କୁଲ ପଛ ପଟେ ଥିବା ଖେଳ ପଡିଆରେ ଏହି ସ୍କୁଲ ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ରଖିଥିବା ସୂଚନା ମିଳିଛି । ହେଲେ ବର୍ଷ ବର୍ଷ ଧରି ସେହି ପଡିଆରେ ରାମେଶ୍ୱର ସ୍ପୋର୍ଟିଂ ଖେଳାଳି କ୍ରିକେଟ ଅଭ୍ୟାସ କରୁଛନ୍ତି । ଏବେଠାରୁ ସେମାନଙ୍କ ଭିତରୁ ପ୍ରତିବାଦର ସ୍ୱର ଶୁଭିବା ଆରମ୍ଭ ହେଲାଣି ।
ଏଭଳି ସ୍ଥିତିରେ ଏବେ ସ୍ଥାନୀୟ ଲୋକେ, ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସରଣ ପଶିଛନ୍ତି । କାରଣ ସେ ନିଜେ ବିଏମ୍ ସ୍କୁଲ ଛାତ୍ର । ଆଖପାଖ ଲୋକ ତାଙ୍କ ପାଖରେ ସ୍କୁଲ ନ ଭାଙ୍ଗିବା ପାଇଁ ଫେରାଦ୍ ହେଉଛନ୍ତି । ପୁଣି ଲିଙ୍ଗରାଜ ମନ୍ଦିର ପଛରେ ଥିବା ବିଏମସି ହସ୍ପିଟାଲ ବି ଭାଙ୍ଗିବାର ସଙ୍କେତ ମିଳିଛି । ସେ ସବୁ ନ ଭାଙ୍ଗିବା ପାଇଁ ସିନା ଅନ୍ତରରେ ମନ୍ତ୍ରୀଙ୍କ ଇଚ୍ଛା, ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଗରେ ସେ ଅବା କ’ଣ କରିବେ? ଗତ ନିର୍ବାଚନରେ ତାଙ୍କ ଭୋଟ କମିଛି । ଆସନ୍ତା ଥର ଭୋଟ ବ୍ୟାଙ୍କ ବଢାଇବା ଚକ୍କରରେ ଲୋକଙ୍କ କଥା ଶୁଣିଲେ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାକୁ ପଡ଼ିବ! ଭୋଟ ବଢାଇବା ଚକ୍କରରେ ଟିକେଟ କଟିବା ଭୟରେ ମନ୍ତ୍ରୀ ଛନ୍ଦି ହୋଇପଡିଥିବା ଖବର ରହିଛି । କାରଣ ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମ ହତ୍ୟା!
