ଭୁବନେଶ୍ୱର : ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ କର୍ମଚାରୀମାନେ ମେଳି ହେବାରେ ଲାଗିଛନ୍ତି । ଏହି ବରିଷ୍ଠ ଅଧିକାରୀ ଜଣଙ୍କ ପଦୋନ୍ନତି ଓ ବଦଳି ଫାଇଲକୁ ଉଦ୍ଦେଶ୍ୟମୂଳକ ଭାବେ ପକାଇ ରଖିବା ସହିତ ଗୋଟିଏ ନିର୍ଦ୍ଧିଷ୍ଟ ବର୍ଗର କର୍ମଚାରୀଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥବା ନେଇ ଲୋକସେବାଭବନରେ ଜୋରଦାର ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୃହ ବିଭାଗରେ ଥିବା ପ୍ରଧାନ ବାବୁଙ୍କ ଉପରେ ଏବେ ଅନେକ କର୍ମଚାରୀ ଖପ୍ପା
ହୋଇଛନ୍ତି । ଏହି ବାବୁ ଜଣଙ୍କ ଏଏସ୍ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆନ୍ତଃ ବିଭାଗୀୟ ବଦଳି ଫାଇଲ୍କୁ ଅଧିକାଂଶ ସମୟରେ ଚାପି ଦେବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଭୁଲ୍ ସୂଚନା ପ୍ରଦାନ କରୁଛନ୍ତି । ଯାହା ଫଳରେ କର୍ମଚାରୀମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ନିକଟ ଅତୀତରେ ଏସ୍ଓ ପଦବରୁ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ସମୟରେ ଯେଉଁ ସମସ୍ୟା ଦେଖା ଦେଇଥିଲା ତାହା ପଛରେ ସମ୍ପୃକ୍ତ ଅଧିକାରୀ ଜଣଙ୍କ ଥିଲେ ବୋଲି ଆଲୋଚନା ହେଉଛି ।
ଏଥିପାଇଁ ସାଧାରଣ ବର୍ଗର କର୍ମଚାରୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଆଇନ୍ ସଚିବଙ୍କ ନିକଟକୁ ବାରମ୍ବାର ଦଉଡିଥିଲେ । ଇତି ମଧ୍ୟରେ ଏହି ବରିଷ୍ଠ ଅଧିକାରୀଙ୍କ କିଛି ଅଧସ୍ତନ କର୍ମଚାରୀଙ୍କୁ ଫାଇଲ୍ ଲେଖିବା ପୂର୍ବରୁ ତାଙ୍କର ପରାମର୍ଶ ନେବାପାଇଁ
ଉପଦେଶ ଦେବା ଫଳରେ ଅସନ୍ତୋଷ ବଢିବାରେ ଲାଗିଛି । ଆଲୋଚନା ଅନୁଯାୟୀ ତଳିଆ କର୍ମଚାରୀମାନେ ବାରମ୍ବାର ଏଭଳି ପରାମର୍ଶ ଓ ବାବୁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ମେଳି ହେବାରେ ଲାଗିଛନ୍ତି । ବିଭାଗରେ ଏହି ବରିଷ୍ଠ ଅଫିସର ଜଣଙ୍କ ଦୀର୍ଘଦିନ ହେଲା ଗାଦିମାଡି ବସିଥିବାରୁ ତାଙ୍କୁ ଅନ୍ୟ ବିଭାଗକୁ ପଠାଇବାପାଇଁ ଲବି ଆରମ୍ଭ କରିଦେଇଛନ୍ତି ।
ଗୃହ ବିଭାଗର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ସମ୍ପୃକ୍ତ ବାବୁଙ୍କ ବିଷୟରେ ଟିକିନିଖି ଜାଣିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବାବୁ ଜଣଙ୍କ ନିଯୁକ୍ତି ସମୟରେ ଜାଲ୍ କାଗଜପତ୍ର ଦେଇଥିବା ଗୁଜବ ପ୍ରଚାରିତ ହେବାପରେ ଏହା କେତେଦୂର ସତ୍ୟ ତାହା ଜାଣିବାପାଇଁ ଦଳେ କର୍ମଚାରୀ ଖୋଳତାଡ ଆରମ୍ଭ କରିଛନ୍ତି । ତେବେ ଗୃହ ବିଭାଗରେ ବ୍ୟାପୁଥିବା ଏହି ଅସନ୍ତୋଷକୁ ତୁରନ୍ତ ପ୍ରଶମିତ କରାନଗଲେ ଆଗକୁ ଏହା ବଡ ଆକାର ଧାରଣ କରିପାରେ ବୋଲି କିଛି ଅଭିଜ୍ଞ କର୍ମଚାରୀ ମତ ଦେଉଛନ୍ତି ।
