ଭୁବନେଶ୍ୱର : ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ସମେତ ଚୋର ଓ ବଦମାସମାନଙ୍କୁ ଧରିବାପାଇଁ କମିଶନରେଟ ପୁଲିସ୍ ଲଗାଇଥିବା ସିସିଟିଭି ମଧ୍ୟରୁ ଅନେକ ଅକାମୀ । କେଉଁ କ୍ୟାମେରାରେ ଭଲଭାବେ ଦୃଶ୍ୟମାନ ହେଉନାହିଁ ତ ଆଉ କେଉଁ କ୍ୟାମେରା ଗାଡିର ନମ୍ବର ପ୍ଲେଟ ପଢିବାକୁ ଅକ୍ଷମ । ଏଭଳି କ୍ୟାମେରାକୁ ନେଇ ପୁଲିସ୍ କର୍ମଚାରୀମାନେ ନାକେଦମ ହେଉଥିବାବେଳେ କମଶନରେଟର ବଡବାବୁମାନେ କିନ୍ତୁ ସବୁ ଠିକ୍ଠାକ୍ ଅଛି ବୋଲି କହି ବୁଲୁଛନ୍ତି । ଦୀର୍ଘଦିନ ତଳୁ ଲାଗିଥିବା ସିସିଟିଭି କ୍ୟାମେରା ଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏଗୁଡିକ ମଧ୍ୟରୁ ଅନେକ ଅଚର । ଯେଉଁ ଗୁଡିକ ସଚଳ ଅଛି ତାହାର କ୍ୟାମେରା ଲେନ୍ସ ଦୁର୍ବଳ ହୋଇଗଲାଣି । ପୁଲିସ୍ ବାବୁମାନେ ସବୁ ଜାଣିଛନ୍ତି । ହେଲେ ଏହାକୁ ବଦଳାଉ ନାହାନ୍ତି । ଏବେ ଅପେକ୍ଷା କରିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ।
ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ କର୍ତ୍ତୃପକ୍ଷ ସହରର ବିଭିନ୍ନ ସ୍ଥାନରେ ଲଗାଉଥିବା ସିଟିଟିଭି କାର୍ଯ୍ୟ ଆରମ୍ଭ କଲେ ପୁଲିସ୍କୁ ଯାହା କିଛି ସଫଳତା ମିଳିପାରିବ ହେଲେ ସେ ପର୍ଯ୍ୟନ୍ତ ପୁଲିସ୍ବାବୁମାନଙ୍କ ହାତ ଏକ ପ୍ରକାର ଖାଲି । ଗତ କିଛି ଦିନ ଧରି ରାଜଧାନୀର ବିଭିନ୍ନ ସ୍ଥାନରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାବେଳେ ଦୁର୍ଘଟଣାକାରୀମାନଙ୍କୁ କ୍ୟାମେରା ଯୋଗେ ଠାବ କରାଯାଇ ପାରୁନାହିଁ । ଖୋଦ୍ କମିଶନରେଟ ପୁଲିସ୍ ଦପ୍ତର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ବି ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଦୁଇ ଚକିଆ ଗାଡିର ନମ୍ବରପ୍ଲେଟ ପଢିବାକୁ ବି କ୍ୟାମେରା ସକ୍ଷମ ହେଉନାହିଁ । ଫଳରେ ଅବେଳରେ ଦୁର୍ଘଟଣାର ଶିକାର ହୋଇ ପୁଲିସ୍ ସହାୟତା ଲୋଡୁଥିବା ଲୋକଙ୍କୁ କମିଶନରେଟ ପୁଲିସ୍ ସହାୟତା କରିପାରୁ ନାହିଁ । ଉଇ କେୟାର ଉଇ ଡେୟାର ସ୍ଲୋଗାନ ଦେଉଥିବା କମିଶନରେଟ ପୁଲିସ୍ କାହିଁକି ତାହାର ସିସିଟିଭି ଗୁଡିକୁ ବଦଳାଉ ନାହିଁ କିମ୍ବା ଠିକଣା ଭାବେ ଲଗାଉନାହିଁ ତାହା କେହି ଜାଣିପାରୁ ନାହାନ୍ତି । ଉଲ୍ଲେଖ କରାଯାଇପାରେ ଯେ କିଛିଦିନ ତଳେ ଏହି ସିସିଟିଭି ର ବ୍ୟାଟେରୀକୁ ଚୋରମାନେ ନେଇ ପଳାଇଥିଲେ ।
ହେଲେ ସେତେବେଳେ ପୁଲିସ୍ ତାହାକୁ ଜାଣିଶୁଣି ଚାପି ଦେଇଥିଲା । ଏହାପରେ ଫନିରେ ବି ଅନେକ କ୍ୟାମେରା ଭାଙ୍ଗିଗଲା କିମ୍ବା ତାହାର ଦିଗରେ ଏପଟ ସେପଟ ହୋଇଗଲା । ତାହାକୁ ସଜାଡିବା ପରିବର୍ତ୍ତେ ପୁଲିସ୍ ବାବୁମାନେ ଏକ ପ୍ରକାର ହାତ ଟେକିଦେଲେ । ଫଳରେ ଫନି ଠାରୁ ଆଉ ଏହି କ୍ୟାମେରା ଗୁଡିକ ଠିକଣା ଭାବେ କାର୍ଯ୍ୟ କରୁନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ହେଲେ ଏହାକୁ ପ୍ରକାଶ କରିବାକୁ କମିଶନରେଟ ପୁଲିସ୍ର ବଡ ବାବୁମାନେ ନାରାଜ । କେବଳ ଯେଉଁ କେତୋଟି ସ୍ଥାନରେ କ୍ୟାମେରା କାର୍ଯ୍ୟ କରୁଛି ସେଠାରେ ଟ୍ରାଫିକ ସଜାଡିବା, ଅସାମାଜିକଙ୍କୁ ଧରିବା ବଦଳରେ ଗାଡି ନମ୍ବର ପ୍ଲେଟ ଦେଖି ଫାଇନ ଆଦାୟ କାମରେ ପୁଲିସ୍ ଲାଗିପଡୁଥିବା କୁହାଯାଉଛି ।
