Odia News Portal

ରାଜଧାନୀ ଆଖପାଖରେ ଏପଟ ସେପଟ ହେଉଛନ୍ତି ପୁଲିସ୍‍ ବାବୁ

ଭୁବନେଶ୍ୱର : ରାଜଧାନୀର ଗଳିକନ୍ଦିରେ ଦିନବେଳା ଚୋରି ସହିତ ନିଶା କାରବାର ବଢି ଚାଲିଥିବାବେଳେ ଏଠାରେ କିନ୍ତୁ କିଛି ପୁଲିସ୍‍ ବାବୁ ଗାଦିମାଡି ବସିଛନ୍ତି । ଅତି ବେଶୀ ହେଲେ କଟକ କିମ୍ବା ଖୋରଧା ବଦଳି ନାଁରେ ଏପଟ ସେପଟ ହେଉଛନ୍ତି । ବଦଳି ସମୟରେ ବଡ ବଡ ଖବର ନିଜଆଡୁ ପ୍ରକାଶ କରାଉଥିବାବେଳେ ଦିନ କେଇଟା ପରେ ପୁଣି ଚୁପ୍‍ ଚାପ୍‍ ରାଜଧାନୀକୁ ଫେରି ଆସୁଛନ୍ତି । ଏମାନେ କେଉଁ ଦକ୍ଷତା ବଳରେ ରାଜଧାନୀକୁ ଫେରୁଛନ୍ତି ତାହା କାହାକୁ ଜଣାନଥିଲେ ବି ଏତେ ପୁରୁଣା ଅଫିସର ଥାଉ ଥାଉ ରାଜଧାନୀରେ ଚୋରା ରାହାଜାନି ଓ ନିଶା କାରବାର କିଭଳି ବଢୁଛି ତାହା ଏବେ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି ।
ରାଜଧାନୀର ଏବେ ବିଭିନ୍ନ ଥାନା ଠାରୁ ଆରମ୍ଭ କରି ଏସିପି ଜୋନ୍‍ରେ ଥିବା ସାନ ଓ ବଡ ବାବୁମାନଙ୍କ ଖାତିଆନା ଖେଳାଗଲେ ସେମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ରାଜଧାନୀରେ କାମ କରୁଥିବା ଦେଖିବାକୁ ମିଳିବ । କିଏ ସବଇନ୍ସପେକ୍ଟର ଥିବାବେଳେ ବଦଳି ହୋଇ ପୁଣି ଏଠାରେ ଆସି ଇନ୍ସପେକ୍ଟର ତ ଆଉ କିଏ ଇନ୍ସପେକ୍ଟର ଥାଇ ବଦଳି ହୋଇ କିଛିଦିନ ଦୂରେଇ ରହିବାପରେ ଏଠି ଆସି ଏସିପି । ସ୍ପେଶାଲ ସ୍କ୍ୱାଡ୍‍ ଓ କ୍ୟୁଆରଟି କଥା ନକହିବା ଭଲ । କମିଶନରେଟ ପୁଲିସ୍‍ର ଏହି ଦୁଇ ବାହିନୀରେ କାର୍ଯ୍ୟରତ ବାବୁମାନେ ସାଧାରଣତଃ ମିଡିଆ ଓ ଲୋକଙ୍କ ନଜର ଠାରୁ ଦୂରରେ ରହୁଥିବାରୁ ଏଠାରେ କାର୍ଯ୍ୟରତ ଅନେକ କର୍ମଚାରୀ ରାଜଧାନୀ ଛାଡିବାକୁ ନାରାଜ ।
ସବୁଠାରୁ ବଡ କଥା ହେଲା ସିପି ବଦଳିବା ସହିତ ସମସ୍ତେ ଭାବିଥିଲେ ରାଜଧାନୀକୁ କିଛି ଦକ୍ଷ ଅଫିସର ଆସିବେ । ହେଲେ ଯେଉଁମାନେ ଆସିଲେ ସେମାନଙ୍କ ତାଲିକା ଦେଖି ତଳିଆ ପୁଲିସ୍‍ କର୍ମଚାରୀମାନେ ହସୁଛନ୍ତି । ରାଜଧାନୀ ଫେରିଥିବା ଓ ଫେରୁଥିବା ଅନେକ ବାବୁ ପୂର୍ବରୁ ଏଠାରେ ଥିଲେ । ତେବେ କାଳେ ଅଧିକ ଦିନ ରାଜଧାନୀରେ ରହିଲେ ବଡ ପୁଲିସ୍‍ଙ୍କ ନଜର ପଡିବ କିମ୍ବା ବଦଳି ତାଲିକାରେ ଦୂରକୁ ଠେଲି ହୋଇଯିବେ ସେଥିପାଇଁ କିଛି ଖାକି ବାବୁ ନିଜ ଆଡୁ ଧରାଧରି କରି କଟକ, ଖୋରଧା, ଜଟଣୀ, ପୁରୀ ନହେଲେ ଅତି ବେଶିରେ ଜଗତ୍‍ସିଂହପୁର କିମ୍ବା କେନ୍ଦ୍ରାପଡାକୁ ବଦଳି ହୋଇ ପଳାଉଛନ୍ତି । ସେଠାରେ ପହଞ୍ଚିବାପରେ କାମ କରିବା ବଦଳରେ କିଭଳି ରାଜଧାନୀକୁ ଫେରିବେ ସେଥିପାଇଁ ଲାଗି ପଡୁଛନ୍ତି । ରାଜଧାନୀରେ ଏବେ ତଳୁ ଉପର ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ପୁଲିସ୍‍ ବାବୁ ପୁରୁଣା ଓ ସହର ସହିତ ଅତି ପରିଚିତ ହୋଇଥିବାବେଳେ କ୍ୟାପିଟାଲରେ ଚୋରି ରାହାଜାନି ଓ ନିଶା କାରବାର ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରାଜ୍ୟ ସଚିବାଳୟ, ରାଜଭବନ, କ୍ୟାପିଟାଲ ହସ୍ପିଟାଲ ସମେତ ବିଭିନ୍ନ ମଲ ଆଦି ନିକଟରେ ଖୁଲମଖୁଲା ଡ୍ରଗ୍ସ ଓ ଗଞ୍ଜେଇ କାରବାର ଚାଲୁଥିବାବେଳେ କିଭଳି ଏହି ବାବୁମାନେ ଜାଣିପାରୁ ନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅବସ୍ଥା ଏଭଳି ହେଲାଣି ଯେ ଛଅ ନମ୍ବର ଅଞ୍ଚଳରେ ଥିବା ସରକାରୀ କ୍ୱାଟର୍ସରୁ ଘନ ଘନ ଚୋରିରେ ଅତିଷ୍ଠ ହୋଇ କିଛି କର୍ମଚାରୀ ଘର ବଦଳାଇ ଅନ୍ୟତ୍ର ପଳାଉଛନ୍ତି ନହେଲେ କ୍ୱାଟର୍ସ ଛାଡି ଭଡାଘରେ ରହିବାକୁ ପସନ୍ଦ କରୁଛନ୍ତି । ଗଢି ଉଠିଥିବା ବେଆଇନ୍‍ ବସ୍ତି ଏବେ ନିଶାବେପାରୀ ଓ ଚୋରଙ୍କ ଆଡ୍ଡାସ୍ଥଳ ହୋଇଥିବାବେଳେ ରାଜଧାନୀରେ ଦୀର୍ଘଦିନ ଧରି ଡେରା ପକାଇଥିବା ପୁଲିସ୍‍ ବାବୁମାନେ କିଭଳି ଜାଣିପାରୁ ନାହାନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଚୋରିର ଏନ୍ତୁଡିଶାଳ ପାଲଟିଥିବା ଛଅ ନମ୍ବର ଅଞ୍ଚଳରେ ସର୍ବାଧିକ ପୁଲିସ୍‍ ବାବୁ କ୍ୱାଟର୍ସ ପାଇଛନ୍ତି ଓ ମଝିରେ ମଝିରେ ତାଙ୍କ ଘରୁ କିମ୍ବା ପଡିଶା ଘରୁ ଚୋରି ହୋଇଯାଉଛି । ହେଲେ ଏମାନେ ଚୋର ଓ ନିଶାଡିଙ୍କୁ ଧରିବେ କଣ ଓଲଟା ଲାଜରେ କାହାକୁ ନଜଣାଇ ଚୁପ୍‍ ରହୁଛନ୍ତି । ତେଣୁ ଅପରାଧିଙ୍କ ପ୍ରତି ନରମ ଥିବା ଓ ରାଜଧାନୀରେ ରହିବାପାଇଁ ଲବି ଚଳାଇ ସଫଳ ହେଉଥିବା ଏହି ବାବୁମାନଙ୍କୁ ଅନ୍ୟତ୍ର ବଦଳି କରି କିଛି ଦକ୍ଷ ପୁଲିସ୍‍ଙ୍କୁ ଏଠାକୁ ଆଣିବାପାଇଁ ମତପ୍ରକାଶ ପାଉଛି ।